ବିଏସକେୱାଇ ସ୍ମାର୍ଟ କାର୍ଡ ବଞ୍ଚାଇ ଦେଲା ୨ ଦିନ ଶିଶୁର ଜୀବନ

1 min read

ନୟାଗଡ଼: ଜନ୍ମ ପରେ ପିଲାଟି କାନ୍ଦିଲା ନାହିଁ । ନିଶ୍ବାସ ପ୍ରଶ୍ବାସରେ କଷ୍ଟ ହେଲା । ତା’ ସାଙ୍ଗକୁ ବାହାରିଲା ବାତ । ଶରୀର ନୀଳ ପଡ଼ିଗଲା । ଗୁରୁତର ହୋଇପଡ଼ିଲା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାର ୨ ଦିନର ଶିଶୁ । ପର ଅଟୋ ଚଳାଇ ପରିବାର ସମ୍ଭାଳୁଥିବା ବାପା ପୁରୁଷୋତ୍ତମଙ୍କ ମୁଣ୍ଡ କାମ କଲା ନାହିଁ । ପୁଅର ଚିକିତ୍ସା ପାଇଁ ନୟାଗଡ଼, ଖୋର୍ଦ୍ଧା, ଭୁବନେଶ୍ବର ଓ କଟକ ଘୂରି ବୁଲିଲେ ବାପାମାଆ । କଟକର ଏକ ଘରୋଇ ହସ୍ପିଟାଲରେ ଆଡମିଶନ କରିଥିଲେ ମଧ୍ୟ ଅର୍ଥ ସାଜିଲା ବାଧକ । ସେମାନଙ୍କ ସଂଘର୍ଷ ଜାଣିବା ପରେ ଭୁବନେଶ୍ବରରେ ରହୁଥିବା ସମ୍ବଲପୁରର ନନ୍ଦ ପ୍ରଧାନ ଏ ବାବଦରେ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ସଚିବଙ୍କୁ ଟ୍ବିଟ୍‌ କଲେ । ଦୁବାଇରେ ସରକାରୀ କାର୍ଯ୍ୟକ୍ରମରେ ଥିବା ଫାଇଭ୍‌-ଟି ସଚିବ ଭି.କେ. ପାଣ୍ଡିଆନ ତୁରନ୍ତ ପିଲାର ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୨୪ ଘଣ୍ଟା ଭିତରେ ଖବର ଆସିଲା, ହସ୍ପିଟାଲ ସହ ଆଇସିୟୁ ପ୍ରସ୍ତୁତ । ବିଏସକେଓ୍ବାଇ ଜରିଆରେ ମାଗଣା ଚିକିତ୍ସାର ପ୍ରତିଶ୍ରୁତି ମଧ୍ୟ ମିଳିଲା । ଆଜି ପିଲାଟି ସୁସ୍ଥ ହୋଇ ଘରକୁ ଫେରିଛି । ପିଲାଟି ନୂଆ ଜୀବନ ପାଇଥିବାରୁ ଫାଇଭ-ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଶିଶୁର ପରିବାର କୃତଜ୍ଞତା ଜଣାଇଛନ୍ତି ।

ପିଲାଟି ଭୁବନେଶ୍ବର କିମ୍ସରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ଚିକିତ୍ସା । ଗଢ଼ା ହୋଇଥିଲା ସ୍ବତନ୍ତ୍ର ଡାକ୍ତରୀ ଟିମ୍ । ପ୍ରତି ମୁହୂର୍ତ୍ତ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଥିଲା । ଏବେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି । ପିଲା ଭଲ ହୋଇଯିବା ଦେଖି କୋହ ସମ୍ଭାଳି ପାରିନଥିଲେ ପରିବାର ଲୋକେ । ଆଖିରୁ ଝରି ଯାଇଥିଲା ଆନ୍ଦ ଅଶ୍ରୁ । ଏସବୁ କେବଳ ମୁଖ୍ୟମନ୍ତ୍ରୀ ଓ ଫାଇଭ୍-‌ ଟି ସଚିବଙ୍କ ସମୟ ଉପଯୋଗୀ ପଦକ୍ଷେପ ଏବଂ ମହାନତା ଯୋଗୁଁ ସମ୍ଭବ ହୋଇପାରିଛି ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ପାଇଁ ଆଶୀର୍ବାଦ ସାଜିଛି । ଆଗରୁ ମଧ୍ୟ ଏହା ଅନେକ ବାର ପ୍ରମାଣିତ ହୋଇଛି ।