ସ୍ବାସ୍ଥ୍ୟସେବାରେ ବରଦାନ ସାଜିଛି ବିଏସକେଓ୍ବାଇ : ଉପକୃତ ହେଲେଣି ୨୮ ହଜାର ରୋଗୀ

ବରଦାନ ସାଜିଛି ବିଏସକେଓ୍ବାଇ । ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଓଡ଼ିଶା ସୁଖି ଓଡ଼ିଶା ନାରା ସ୍ବପ୍ନକୁ ସତ କରୁଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଚଳିତ ବର୍ଷ ଏଯାଏଁ ରାଜ୍ୟ ବାହାରେ ୧୦୩ଟି ସୁପର ସ୍ପେଶିଆଲିଟି ଏବଂ ଅନ୍ୟ ହସପିଟାଲରେ ସ୍ବାସ୍ଥ୍ୟ ସେବା ଉପଲବ୍ଧ ହେଉଛି । ଏଥିରେ ୨୮ ହଜାର ରୋଗୀ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇଲେଣି । ନଭେମ୍ବର ମାସ ସୁଦ୍ଧା ରାଜ୍ୟ ସରକାର ଏ ବାବଦକୁ ୩୯ କୋଟି ଟଙ୍କା ଖର୍ଚ୍ଚ ବହନ କଲେଣି ।

ରାଜ୍ୟ ହେଲ୍ଥ ଇନ୍ସୁରାନ୍ସ ସୋସାଇଟି ବୈଠକରେ ସୂଚନା ଦେଇଛନ୍ତି ସିଇଓ ଡକ୍ଟର ବୃନ୍ଦା ଡି । ରୋଗୀମାନେ କିପରି ଚିକିତ୍ସାରେ ଅବହେଳିତ ନହେବେ, ସେଥିପାଇଁ ଘରୋଇ ଡାକ୍ତରଖାନାକୁ ନିର୍ଦ୍ଦେଶ ଦିଆଯିବା ସହ ଶୀଘ୍ର ଦେୟ ପୈଠ ପାଇଁ ନୋଡାଲ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତାମିଲନାଡୁର ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ୍, ବେଙ୍ଗାଳୁରୁର ଶ୍ରୀଶଙ୍କରା କ୍ୟାନସର ଫାଉଣ୍ଡେସନ, କୋଲକାତାର ଟାଟା ମେଡିକାଲ ସେଣ୍ଟର, ବିଶାଖପାଟଣା ଓ ସାଙ୍ଗୁରର ହୋମି ଭାବା କ୍ୟାନସର ହସପିଟାଲ, ଗୁଆହାଟିର ବରୁହା କ୍ୟାନସର ଇନଷ୍ଟିଚ୍ୟୁଟ୍, ବାରାଣାସିର ଏଚ.ବି କ୍ୟାନସର ହସପିଟାଲ, ପଣ୍ଡିତ ମାଲବ୍ୟ କ୍ୟାନସର ହସପିଟାଲ ସେଣ୍ଟର, ମୁମ୍ବାଇର ଟାଟା ମେମୋରିଆଲ ଓ ଆଡଭାନ୍ସ ସେଣ୍ଟର ଫର୍ କ୍ୟାନସର ଏହି ଯୋଜନାରେ ସାମିଲ ହୋଇଛି ।

ଫୋର୍ଟିଜ୍ ଗ୍ରୁପର ୨୪ଟି ହସପିଟାଲ, ନାରାୟଣ ହୃଦୟାଳୟର ୭ଟି ସୁପର ସ୍ପେଶିଆଲିଟି ହାର୍ଟ ହସପିଟାଲରେ ଏହି ଯୋଜନାରେ ସାମିଲ ହୋଇଛି । ମୋଟାମୋଟି ଭାବେ ସାରା ଦେଶରୁ ୧୦୩ଟି ମେଡିକାଲ ଏହି ବିଏସକେଓ୍ବାଇ ଯୋଜନାରେ ସାମିଲ ହୋଇଛନ୍ତି । ନଭେମ୍ବର ମାସରେ ରାଜ୍ୟ ବାହାରେ ୪ ହଜାର ୫୦୦ ରୋଗୀ ଚିକିତ୍ସିତ ହୋଇଥିବା ବେଳେ, ସରକାର ୧୧ କୋଟି ୨୬ ଲକ୍ଷ ଟଙ୍କା ପୈଠ କରିଛନ୍ତି । ଏହି ଯୋଜନାରେ ୯୭ ପ୍ରତିଶତ ରୋଗୀ ଉପକୃତ ହୋଇଛନ୍ତି ।