ସଞ୍ଜୀବନୀ ସାଜିଛି BSKY, ସୁନ୍ଦରଗଡ଼ରେ ୧୧ ମାସରେ ୨୩ ହଜାର ୫୩୯ ରୋଗୀଙ୍କୁ ଦେଇଛି ନୂଆ ଜୀବନ

1 min read

ସୁନ୍ଦରଗଡ଼: ଜୀବନ ଦେଉଛି BSKY ସ୍ମାର୍ଟକାର୍ଡ । ଅଭାବୀ ପରିବାର ପାଇଁ ସାଜିଛି ସଞ୍ଜୀବନୀ । ଗରିବ ପରିବାରକୁ ଦେଉଛି ବଞ୍ଚିବାର ଭରସା । ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୨ ଜାନୁଆରୀଠାରୁ ନଭେମ୍ବର ୩୦ ମଧ୍ୟରେ ୨୩ ହଜାର ୫୩୯ ଜଣ ରୋଗୀଙ୍କୁ ଦେଇଛି ନୂଆ ଜୀବନ । ବିଭିନ୍ନ ଘରୋଇ ହସ୍ପିଟାଲରେ ମାଗଣାରେ ଅତ୍ୟାଧୁନିକ ଚିକିତ୍ସା ପାଇଁ ସୁସ୍ଥ ହୋଇଛନ୍ତି ହିତାଧିକାରୀ । କାର୍ଡ ଜରିଆରେ ୧୩  ହଜାର ୭୨୧ ଜଣଙ୍କ ଆଖି ଅପରେସନ କରାଯାଇଥିବା ବେଳେ ସେଥିମଧ୍ୟରୁ ୩ ହଜାର ୧୮୬ ଜଣ ଶିଶୁ ଅଛନ୍ତି । ରାଉରକେଲା ଜୟ ପ୍ରକାଶ ହସ୍ପିଟାଲରେ ୪ ହଜାରରୁ ଅଧିକ ଅପରେସନ ସଫଳତାର ସହ କରାଯାଇଛି । ମାଗଣାରେ ବସ୍ ଯୋଗେ ଘରୁ ହସ୍ପିଟାଲ ଆଣିବା ସହ ଘରକୁ ଫେରିବାର ବ୍ୟବସ୍ଥା କରାଯାଇଛି ।

ରୋଗୀଙ୍କ ଘର ନିକଟରେ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଜୟ ପ୍ରକାଶ ହସ୍ପିଟାଲ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଗଣା ଚିକିତ୍ସା ଶିବିର ଆୟୋଜନ କରାଯାଇ ଜିଲ୍ଲାର ୬୫ ହଜାରରୁ ଅଧିକ ରୋଗୀଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସୁବିଧା ମିଳୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭିନ୍ନ ମହଲରେ ଧନ୍ୟବାଦ ଦିଆଯାଉଛି ।