BSKY ସାଜିଲା ସଞ୍ଜୀବନୀ, ୫ ଦିନର ନବଜାତକଙ୍କୁ ଦେଲା ନୂଆ ଜୀବନ

1 min read

ଟାଙ୍ଗୀ: BSKY କାର୍ଡ ସାଜିଲା ସଞ୍ଜୀବନୀ । ୫ ଦିନର ନବଜାତ ଶିଶୁଙ୍କୁ ଦେଲା ନୂଆ ଜୀବନ। ସାଢେ ୩ ଘଣ୍ଟାର ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇଛି ଶିଶୁ। ଗତ ୨୬ ତାରିଖରେ ଖୋର୍ଦ୍ଧା ଟାଙ୍ଗୀ ହାଟବରଡିର ଶିବ ରାଉତରାୟ ଓ ଭାଗ୍ୟଲକ୍ଷ୍ମୀ ହେଣ୍ଡାଙ୍କ ଶିଶୁପୁତ୍ର ଏକ ଘରୋଇ ହସ୍ପିଟାଲରେ ଜନ୍ମ ହୋଇଥିଲା।

ନବଜାତ ପୁତ୍ରର ମଳଦ୍ବାରର ହାଡ ଉପରେ ମଣିଷ ମୁଣ୍ଡ ପରି ବଡ ମାଂସ ପେଣ୍ଡୁଳା ବାହାରିଥିବା ଦେଖିବାକୁ ମିଳିଥିଲା। ମାଂସ ଉପରେ କେଶ ଓ କାନ ମଧ୍ୟ ଥିଲା। ଶିଶୁପତ୍ର ଅବସ୍ଥା ଦେଖି ଦମ୍ପତି ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଘରୋଇ ହସ୍ପିଟାଲ ଫେରାଇ ଦେବା ପରେ ସମ ହସ୍ପିଟାଲରେ ପହଞ୍ଚିଥିଲେ ଦମ୍ପତି। ହସ୍ପିଟାଲର ମୁଖ୍ୟ ପରାମର୍ଶଦାତା ସ୍ନାୟୁରୋଗ ବିଶେଷଜ୍ଞ ତଥା ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ବରେ ୫ ଜଣିଆ ଟିମ ଶିଶୁର ଅସ୍ତ୍ରୋପଚାର ପାଇଁ ଆରମ୍ଭ କରିଥିଲେ ପ୍ରକ୍ରିୟା। ପ୍ରଥମେ ନବଜାତ ଶିଶୁର ଏମଆରଆଇ କରିବା ପରେ ଆନେସ୍ଥେସିଆ ଦେଇ ସଫଳ ଅସ୍ତ୍ରୋପଚାର କରାଯାଇଛି ।

ନବଜାତ ଶିଶୁପୁତ୍ରକୁ ଅପରେସନ କରିବା ଡାକ୍ତରୀ ଟିମ ପାଇଁ ଥିଲା ବଡ ଚ୍ୟାଲେଞ୍ଜ। କାରଣ ନବଜାତ ଶିଶୁ ମାନଙ୍କର ଅପରସେନ ବେଳେ ରକ୍ତ କମିବା ଓ ଶରୀରରେ ତାପମାତ୍ରା ନିୟନ୍ତ୍ରଣ ଉପରେ ସମସ୍ୟା ଦେଖାଦେଇଥାଏ। କିନ୍ତୁ ଡାକ୍ତରୀ ଟିମର ପ୍ରୟାସ ଯୋଗୁ ୫ ଦିନର ଶିଶୁପୁତ୍ର ନୂଆ ଜୀବନ ପାଇଛି। ଅପରେସନ ପରେ ଛୁଆଟି କାନ୍ଦିବା ପରେ ଡାକ୍ତରୀ ଟିମ ଓ ଦମ୍ପତି ଖୁସି ପ୍ରକଟ କରିଥିଲେ।