ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରି ଆସୁଥିବା ଜନସାଧାରଣଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟକାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। କାର୍ଡ ବଣ୍ଟନ ହେବାର ଗୋଟିଏ ଦିନ ନ ପୂରୁଣୁ ରାସଗୋବିନ୍ଦପୁର ସ୍ଥିତ ରଙ୍ଗାମାଟିଆ ଠାରେ ଥିବା ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଉକ୍ତ ସ୍ୱାସ୍ଥ୍ୟକାର୍ଡ଼ ଯୋଗେ 75 ଜଣ ଚକ୍ଷୁ ପୀଡିତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି।
ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା କୁପାରୀ ଅଞ୍ଚଳରୁ 43 ଜଣ ଏବଂ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରୁ 32 ଜଣ ମୋତିଆବିନ୍ଦୁରେ ପୀଡିତଙ୍କୁ ଚି଼ହ୍ନଟ କରାଯାଇଥିଲା। ଚକ୍ଷୁ ପୀଡିତ ମାନେ ରାସଗୋବିନ୍ଦପୁର ବ୍ଲକ ରଙ୍ଗାମାଟିଆ ସ୍ଥିତ ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟକୁ ଆସି ସେମାନଙ୍କର ଚକ୍ଷୁ ଅସ୍ତ୍ରୋପଚାର କରାଇଛନ୍ତି।
ରାଜ୍ୟ ସରକାରଙ୍କ ସହଯୋଗରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ମାଧ୍ୟମରେ ଦୀର୍ଘ ଦିନ ଧରି ହୋଇପାରୁନଥିବା ଚିକିତ୍ସାର ସଫଳ ଚିକିତ୍ସା ପରେ ଚକ୍ଷୁ ପୀଡିତ ମାନେ ରାଜ୍ୟ ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

