ଲାଲଗଡ଼ରେ ଉଡ଼ିଲା ତ୍ରିରଙ୍ଗା, ସ୍ୱାଭିମାନ ଅଞ୍ଚଳରେ ତ୍ରିରଙ୍ଗା ଉଡ଼ାଇଲେ BSF ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଲାଲଗଡ଼ରେ ଉଡ଼ିଲା ତ୍ରିରଙ୍ଗା । ସ୍ୱାଭିମାନ ଅଞ୍ଚଳରେ ତ୍ରିରଙ୍ଗା ଉଡ଼ାଇଲେ ବିଏସଏଫ ଯବାନ । ଲୋକଙ୍କ ଘରେ ଘରେ ଲାଗିଲା ଜାତୀୟ ପତାକା । ତ୍ରିରଙ୍ଗା ରାଲିରେ ସାମିଲ ହେଲେ ଶହ ଶହ ଲୋକ । ଯାହା ୩ ଦଶନ୍ଧି ଧରି ସମ୍ଭବ ହୋଇନଥିଲା, ତାହା ଏବେ ସମ୍ଭବ ହୋଇଛି । ଆନ୍ଧ୍ର ସୀମାନ୍ତ ଯନ୍ତ୍ରୀ, ରାଲେଗଡ଼, ସାରୁକାବନ୍ଧରେ ଘରେ ଘରେ ଉଡ଼ୁଛି ତ୍ରିରଙ୍ଗା । ସ୍ଥାନୀୟ ଲୋକ ସ୍ୱାଧୀନତାର ୭୫ତମ ପୂର୍ତ୍ତି ପାଳିଛନ୍ତି । ସେନାକ୍ୟାମ୍ପକୁ ଆସି ଯବାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । ସରକାରଙ୍କ ବିକାଶମୂଳକ ଯୋଜନାରେ ସ୍ଥାନୀୟ ଲୋକ ସାମିଲ ହୋଇଛନ୍ତି । ସ୍ୱାଭିମାନ ଅଞ୍ଚଳରେ ଦୂରଦୂରାନ୍ତରେ ସେନା କ୍ୟାମ୍ପ ସହ ପୋଲିସ ଥାନା ଏବଂ ଲଗାତର ମାଓ ଅପରସେନ ସ୍ଥାନୀୟ ଲୋକଙ୍କ ବିଶ୍ବାସ ଜନ୍ମାଇବାରେ ସକ୍ଷମ ହୋଇଛି ।

ଏବେ ରାଜ୍ୟ ସରକାରଙ୍କ ଅନେକ ବିକାଶମୂଳକ କାର୍ଯ୍ୟ ଯଥା ଗମନାଗମନ, ଟେଲିଫୋନ ଟାୱାର, ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି । ଏପରିକି ସ୍ୱାଭିମାନ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ କରାଯାଉଛି । ଓଡ଼ିଶା ପୋଲିସ ଓ ବିଏସଫର ଲଗାତର ଅପରସେନ ପରେ ଏବେ ସ୍ୱାଭିମାନ ଅଞ୍ଚଳରୁ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି । ସ୍ଥାନୀୟ ଲୋକ ରାଜ୍ୟ ସରକାର ଓ ପୋଲିସ ଉପରେ ଭରସା କରିବା ସହ ଅନେକ ଯୋଜନାରୁ ଲାଭ ପାଉଛନ୍ତି । ମାଓବାଦୀଙ୍କ ଚିନ୍ତାଧାରାକୁ ବିରୋଧ କରି ଏବେ ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି । ଏପରିକି ବିକାଶ ଦେଖି ଅନେକ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି ।