ନୁପୁର ଶର୍ମାଙ୍କୁ ହତ୍ୟା କରିବାକୁ ଆସିଥିବା ପାକିସ୍ତାନୀ ଯୁବକ ଗିରଫ, ୧୧ ଇଞ୍ଚର ଧାରୁଆ ଛୁରୀ ଜବତ

ଜୟପୁର: ଅନ୍ତର୍ଜାତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣେ ସନ୍ଦିଗ୍ଧ ପାକିସ୍ତାନୀ ନାଗରିକଙ୍କୁ ରାଜସ୍ଥାନରେ ଧରିଛି ସୀମା ସୁରକ୍ଷା ବଳ (ବିଏସଏଫ) । ଖବର ସରବରାହ ସଂସ୍ଥା ଏନଏନଆଇ ମୁତାବିକ, ବିଜେପିର ପୂର୍ବତନ ପ୍ରବକ୍ତା ନୁପୁର ଶର୍ମାଙ୍କୁ ମାରିବା ଉଦ୍ଦେଶ୍ୟରେ ଆସିଥିଲା ସନ୍ଦିଗ୍ଧ । ତା ପାଖରୁ ଅନେକ ସନ୍ଦେହଜନକ ସାମଗ୍ରୀ ମିଳିଛି । ଗୁଇନ୍ଦା ବିଭାଗ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି), ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ (ର’) ଏବଂ ମିଲିଟାରୀ ଏଜେନ୍ସିର ମିଳିତ ଟିମ୍ ତାକୁ ପଚରା ଉଚରା କରୁଛନ୍ତି ।

ସୂଚନାନୁଯାୟୀ, ଗତ ୧୬ ତାରିଖ ରାତି ପ୍ରାୟ ୧୧ ଟା ସମୟରେ ଶ୍ରୀଗଙ୍ଗାନଗର ଜିଲ୍ଲାକୁ ଲାଗି ହିନ୍ଦୁମଲକୋଟ ସୀମାରେ ସନ୍ଦିଗ୍ଧ ବ୍ୟକ୍ତିକୁ ବିଏସଏଫର ପେଟ୍ରୋଲିଂ ଟିମ୍ ଧରିଥିଲା । ତାକୁ ପଚରା ଉଚରା କରିବାରୁ ସଠିକ ଭାବେ ସେ କିଛି କହି ପାରିନଥିଲା । ତଲାସ କରିବା ବେଳେ ତାଠାରୁ ଦୁଇଟି ଛୁରୀ ମିଳିଥିଲା  । ସେଥିରେ ଗୋଟେ ୧୧ ଇଞ୍ଚର ଧାରୁଆ ଛୁରୀ ଥିଲା । ଏହା ବ୍ୟତୀତ ଧର୍ମ ପୁସ୍ତକ, ମ୍ୟାପ, କପଡ଼ା ଏବଂ ଖାଦ୍ୟ ସାମଗ୍ରୀ ମଧ୍ୟ ମିଳିଛି ।

ପଚରା ଉଚରା ସମୟରେ ଅଭିଯୁକ୍ତ ନିଜ ନାଁ ରିଜୱାନ ଅଶରଫ ବୋଲି କହିଛି । ଉତ୍ତର ପାକିସ୍ତାନର ମଣ୍ଡି ବହାଉଦ୍ଦୀନ ସହରରେ ତାର ଘର । ସେ ସ୍ୱୀକାର କରିଛି ଯେ, ନୁପୁର ଶର୍ମାଙ୍କୁ ହତ୍ୟା ଉଦ୍ଦେଶ୍ୟରେ ସୀମା ପାର କରିଥିଲା । ଷଡଯନ୍ତ୍ରକୁ ରୂପ ଦେବା ପୂର୍ବରୁ ସେ ଆଜମେର ଶରୀଫ ଯିବାର କାର୍ଯ୍ୟକ୍ରମ ଥିଲା । ପଚରା ଉଚା ସମୟରେ ଏହା ମଧ୍ୟ ଜଣାପଡ଼ିଛି ଯେ, ନୁପୁର ଶର୍ମାଙ୍କ ଠିକଣା ବିଷୟରେ ସେ ଅଜ୍ଞ ଥିଲା । କେବଳ ଧାର୍ମିକ ଭାବନା ନେଇ ଆସିଥିଲା ।

ବିଏସଏଫ ଅଭିଯୁକ୍ତକୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଛି । ଏହାପରେ ପୋଲିସ ସ୍ଥାନୀୟ କୋର୍ଟରେ ହାଜର କରାଇଥିଲା । କୋର୍ଟ ତାକୁ ୮ ଦିନ ରିମାଣ୍ଡରେ ପଠାଇଛନ୍ତି । ରିମାଣ୍ଡ ସମୟରେ ତାର କାହା ସହିତ ଲିଙ୍କ ଅଛି ନାଁ କେବଳ ଧାର୍ମିକ ଭାବନାରେ ଆସିଥିଲା ତାର ଯାଞ୍ଚ କରାଯିବ । ସୂଚନାଥାଉକି ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ଦେବା ପରେ ନୁପୁର ଶର୍ମାଙ୍କ ବିରୋଧରେ ମୁସଲିମ ଗୋଷ୍ଠୀ ବିରୋଧ ପ୍ରଦର୍ଶନ କରିଥିଲେ । ତାଙ୍କୁ ମାରିବା ପାଇଁ ମଧ୍ୟ ଧମକ ଦିଆଯାଉଥିଲା । ଏମିତିକି ତାଙ୍କ ସମର୍ଥନରେ ଫେସବୁକରେ ପୋଷ୍ଟ କରିବାରୁ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟା ସହ ପାକିସ୍ତାନୀ ଲିଙ୍କ ଥିବା କଥା ମଧ୍ୟ କୁହାଯାଉଥିଲା ।