୧୫ ଅଗଷ୍ଟରେ ଘୋଷଣା ହେବ ସିବିଏସଇ ଫଳାଫଳ, ସେପ୍ୱେମ୍ବରରେ ସ୍କୁଲ ଖୋଲିବାକୁ ନେଇ ହେବ ବିଚାର ବିମର୍ଷ

ନୂଆଦିଲ୍ଲୀ: ସିବିଏସଇ ବୋର୍ଡ଼ ଦଶମ ଏବଂ ଦ୍ୱାଦଶର ଫଳାଫଳ ୧୫ ଅଗଷ୍ଟ ମଧ୍ୟରେ ଘୋଷଣା ହୋଇପାରେ । ତେବେ ମାତ୍ର କିଛି ବ୍ୟବଧାନରେ ଏହି ଫଳାଫଳ ଘୋଷଣା ହେବ । କିନ୍ତୁ ଅଗଷ୍ଟ ଶେଷ ସୁଦ୍ଧା ସ୍କୁଲ ଖୋଲିବାର ନିଷ୍ପତ୍ତି ନିଆଯାଇପାରେ ।

କେନ୍ଦ୍ରୀୟ ମାନବ ସଂସାଧନ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତିଯେ, ୧୦ ଏବଂ ଦ୍ୱାଦଶ ଫଳାଫଳ ୧୫ ଅଗଷ୍ଟ ମଧ୍ୟରେ ଘୋଷଣା ହେବ ବୋଲି ଆମେ ଆଶା କରୁଛୁ । ଏତିରେ ପୂର୍ବରୁ ଏବଂ ଜୁଲାଇରେ ହେବାକୁ ଥିବା ପରୀକ୍ଷାର ଫଳାଫଳ ସାମିଲ ଅଛି । ତେବେ ସ୍କୁଲ ଖୋଲିବାର ପ୍ରକ୍ରିୟା ଅଗଷ୍ଟ ପରେ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ସେତେବେଳର ସ୍ଥିତିକୁ ଦୃଷ୍ଟିରେ ରଖି ଉଚିତ୍‌ ପଦକ୍ଷେପ ନିଆଯିବ ।  ତେବେ ଅଗଷ୍ଟ ଶେଷ ସମୟକୁ ବିଶ୍ୱବିଦ୍ୟାଳୟରେ ନୂଆ ସେଶନ ଆରମ୍ଭ ହୋଇପାରେ । ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ସ୍କୁଲ ଖୋଲିବା ବିଷୟକୁ ନେଇ କେନ୍ଦ୍ରୀୟ ମାନବ ସଂସାଧନ ବିକାଶ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି ।  ଦିଲ୍ଲୀ ଶିକ୍ଷାମନ୍ତ୍ରୀଙ୍କ କହିବା ହେଉଛି କେବଳ ଅନଲାଇନ କ୍ଲାସରେ ଶିକ୍ଷା ଆଗକୁ ବଢ଼ିପାରିବ ନାହିଁ । ଏହାଦ୍ୱାରା ଶିକ୍ଷା ଅସମ୍ଭବ ।

ଅନ୍ୟପଟେ କେତେକ ଘରୋଇ ବିଦ୍ୟାଳୟ ମଧ୍ୟ ମାନବ ସଂସାଧନ ବିକାଶ ମନ୍ତ୍ରଣାଳୟକୁ ସ୍କୁଲ ଖୋଲିବାକୁ ନେଇ ପରାମର୍ଶ ଦେଇଛନ୍ତି । କିନ୍ତୁ ସ୍କୁଲ ଖୋଲିବାକୁ ଆଦୌ ଆଗଭର ନୁହଁନ୍ତି ମାନବ ସଂସାଧନ ବିକାଶ ମନ୍ତ୍ରଣାଳୟ । ବରିଷ୍ଠ ଅଧିକାରୀଙ୍କ କହିବା ହେଉଛି ୧ରୁ ୧୫ ଜୁଲାଇ ମଧ୍ୟରେ  ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ଼ ପରୀକ୍ଷା କରିବାକୁ ହେବ । ଏହାପରେ ସ୍କୁଲ କଲେଜ ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ ।