ମହାରାଷ୍ଟ୍ରର ଅମରାବତୀରେ ଉଦୟପୁର ଭଳି ହତ୍ୟା !

ମୁମ୍ବାଇ: ନିକଟରେ ରାଜସ୍ଥାନର ଉଦୟପୁରରେ ଜଣେ ଦରଜୀଙ୍କର ଲୋମହର୍ଷଣକାରୀ ହତ୍ୟା କରାଯାଇଥିଲା । ଏହି ହତ୍ୟା ପରେ ସାରା ଦେଶରେ ହିଂସା ଦେଖାଯାଇଥିଲା । ପୋଲିସ ଦୁଇଜଣଙ୍କୁ ଗିରଫ କରି ପଚରା ଉଚରା ଜାରି କରିଛି  । ଏହି ଘଟଣା ଏବେ ସୁଦ୍ଧା ଥମିନଥିବା ବେଳେ ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ଅମରାବତୀରେ ଜଣେ ଔଷଧ ଦୋକାନୀଙ୍କ ହତ୍ୟା କରାଯାଇଛି । ଅମରାବତୀ ସହରରେ ରହୁଥିବା ଔଷଧ ଦୋକାନୀ ଉମେଶ କୋହ୍ଲେଙ୍କର ୨୧ ତାରିଖରେ ଗଳା କାଟି ହତ୍ୟା କରିଦିଆଯାଇଛି  । ରାତି ସମୟରେ ଉମେଶ କୋହ୍ଲେ ନିଜ ଔଷଧ ଦୋକାନରୁ ଘରକୁ ଫେରୁଥିବା ସମୟରେ ତାଙ୍କର ହତ୍ୟା କରାଯାଇଛି । ତେବେ ହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଏହି ହତ୍ୟାକାଣ୍ଡ ଉଦୟପୁରର କହ୍ନେୟାଲାଲଙ୍କ ହତ୍ୟାର ଏକ ସପ୍ତାହ ପୂର୍ବର । ମାମଲାର ତଦନ୍ତ ଅମରାବତୀ ପୋଲିସ କରୁଛି ।

ତେବେ ସାମାଜିକ ଗଣମାଧ୍ୟମରେ ଦାବି କରାଯାଉଛି ଯେ ନୁପୁର ଶର୍ମାଙ୍କ ସମର୍ଥନରେ ଏକ ପୋଷ୍ଟ କାରଣରୁ କୋହ୍ଲେଙ୍କ ନିର୍ମମ ହତ୍ୟା କରାଯାଇଛି । ଏହି ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ଯେତବେଳେ କି ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି  । ଏନଆଇଏ ଟିମ୍ ମଧ୍ୟ ମହାରାଷ୍ଟ୍ରର ଅମରାବତୀରେ ମାମଲାର ଯାଞ୍ଚ କରୁଛି  । ବିଜେପି ସାଂସଦ ଅନିଲ ବୋଣ୍ଡେ ଏହି ଘଟଣାର ତଦନ୍ତ ଦାବି କରି ମାଷ୍ଟରମାଇଣ୍ଡକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ଉମେଶ କୋହ୍ଲେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଅମିତ ମେଡିକାଲ ଷ୍ଟୋର ନାଁରେ ଏକ ଦୋକାନ ଚଳାଉଥିଲେ । ୫୪ ବର୍ଷୀୟ କୋହ୍ଲେ ୨୧ ଜୁନ ରାତିରେ ପୁଅ ଏବଂ ବୋହୂଙ୍କ ସହ ଅଲଗା ଅଲଗା ବାଇକରେ ଘରକୁ ଫେରିବା ସମୟରେ ଏହି ଘଟଣା ହୋଇଥିଲା । ବାଟରେ ଆସୁଥିବା ସମୟରେ ଲୁଚି ବସିଥିବା ଆକ୍ରମଣକାରୀ ତାଙ୍କ ବେକ ଉପରେ ପଛପଟୁ ଛୁରୀରେ ଆକ୍ରମଣ କରିଥିଲେ  । ତାଙ୍କୁ ଗୁରୁତର ଅବସ୍ଥାରେ ପୁଅ ବୋହୂ ମେଡିକାଲ ନେଇଯାଇଥିଲେ  । କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ  । ଏହି ହତ୍ୟା ପଛରେ ସାମ୍ପ୍ରଦାୟିକ ହିଂସା ରହିଛି ବୋଲି କୁହାଯାଉଛି  ।