ବିଆରଏସ ନେତ୍ରୀ କେ. କବିତାଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ହାଇଦ୍ରାବାଦ: ଦିଲ୍ଲୀ ମଦନୀତି ମାମଲା। ବିଆରଏସ ନେତ୍ରୀ କେ. କବିତାଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆଜି କବିତାଙ୍କ ହାଇଦ୍ରାବାଦ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରେଡ୍ କରାଯାଇଥିଲା। ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆରଏସ ମୁଖ୍ୟ କେସିଆରଙ୍କ ଝିଅ କବିତାଙ୍କୁ ଇଡିରେ ହାଜର ହେବାପାଇଁ ନୋଟିସ ହୋଇଥିଲା। ପୂର୍ବରୁ ଏହି ମାମଲାରେ ତାଙ୍କୁ ପଚରାଉଚରା କରାଯାଇଥିଲା। ଚଳିତ ବର୍ଷ ୨ଥର ସମନ ହୋଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ। ବାରମ୍ବାର ସମନ ସତ୍ତ୍ବେ ହାଜର ହୋଇନଥିବାରୁ ଆଜି ତାଙ୍କ ଘରେ ରେଡ୍ ମାରିଥିଲା ଇଡି । ତେବେ ଦୀର୍ଘ ସମୟ ଧରି ଜେରା ପରେ କବିତାଙ୍କୁ ଗିରଫ କରିଛି ଇଡି। ଗିରଫ ପରେ ତାଙ୍କୁ ଦିଲ୍ଲୀ ଅଣାଯାଉଛି। ଗିରଫକୁ ପ୍ରତିବାଦ କରି କବିତାଙ୍କ ଘର ଆଗରେ ବିଆରଏସ କର୍ମୀଙ୍କ ବିକ୍ଷୋଭ।   ଦିଲ୍ଲୀ ମଦନୀତି ମାମଲାରେ ସାଉଥ ଗ୍ରୁପରେ କବିତାଙ୍କ ମୁଖ୍ୟଭୂମିକା ଥିବା ଇଡି ଆରୋପ କରିଛି । ଅନ୍ୟମାନଙ୍କ ମଧ୍ୟରେ ହାଇଦ୍ରାବାଦର ବିଜିନେସମ୍ୟାନ ଶରଥ ରେଡ୍ଡୀ, ଓ୍ବାଇଏସଆର କଂଗ୍ରେସ ସାଂସଦ ଏମ. ଶ୍ରୀନିବାସୁଲୁ ରେଡ୍ଡୀ ଓ ତାଙ୍କ ପୁଅ ରାଘବ ଏମ ରେଡ୍ଡୀ ସାମିଲ ଥିବା ଇଡି କହିଛି।