ବିଞ୍ଝାରପୁରରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା । ବଢୁଛି ଚୋରି । ଦିବାଲୋକରେ ଖୁଲମଖୁଲା ଚାଲିଛି ଧଳାଜହର ଡିଲ୍ । କାୟା ମେଲାଇ ଚାଲିଛନ୍ତି ମଦ ଓ ଗଞ୍ଜେଇ ବେପାରୀ । ଟେରପାଉନି ପୋଲିସ । ସବୁଠୁ ବଡ କଥା ହେଲା ବିଞ୍ଝାରପୁର ଥାନାର ନିକଟବର୍ତ୍ତୀ ପଞ୍ଚାୟତ ସୟଦପୁର ଓ ବିଞ୍ଝାରପୁର ପାଲଟିଛି ନିଶା ବେପାରୀଙ୍କ ପେଣ୍ଠସ୍ଥଳୀ । ପୋଲିସ ଆଖି ଆଗରେ ଚାଲୁଛି ଖୁଲମଖୁଲା ମଦ ଓ ବ୍ରାଉନସୁଗାର ବେପାର । କିଛି ଦିନ ପୂର୍ବରୁ ଥାନା ଆଗରେ ଥିବା ଏକ ରାସନ ଦୋକାନରୁ ଲକ୍ଷାଧିକ ଟଙ୍କାର ଲୁଟ ହୋଇଥିଲା | ଆଉ ସେହି ଲୁଟର ମାଷ୍ଟରମାଇଣ୍ଡ ଥିଲା ବିଞ୍ଝାରପୁରର ଜଣେ ଯୁବକ । ସେହି ଯୁବକ ଠାରୁ ପ୍ରାୟ ୧୦ ଗୋଟି ଗାଡି ବ୍ୟାଟେରୀ ସମେତ ବହୁ ମୂଲ୍ୟବାନ ଜିନିଷ ଜବତ ହୋଇଥିଲା । ଯୁବକ ଜଣକ ଧରା ପଡିବା ପରେ ପୋଲିସକୁ ବ୍ରାଉନସୁଗାର ମାଗୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ହେଲେ ଉକ୍ତ ଯୁବକକୁ ଜେଲ ପଠାଇ ଚୁପ ହୋଇ ବସିପଡିଲା ପୋଲିସ | ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ବିଞ୍ଝାରପୁର ବ୍ଲକରେ ଦୁଇଟି ଥାନା ରହିଛି । ହେଲେ ସେଠାରେ ନାହାନ୍ତି ଆବଶ୍ୟକୀୟ ଅଧିକାରୀ ଓ କର୍ମଚାରୀ । ଅଳୁକୁଣ୍ଡ ଥାନାରେ ନାହାନ୍ତି ମହିଳା କର୍ମଚାରୀ । ରାତ୍ରି ସମୟରେ ରେଡ କିମ୍ବା ପାଟ୍ରୋଲିଂ ହେଉନଥିବାରୁ ବିଭିନ୍ନ ସ୍ଥାନରେ ଦିନକୁ ଦିନ ବେଆଇନ ମଦ ଓ ଧଳାଜହର ବେପାର ବଢୁଛି । ଯାହାକୁ ସେବନ କରି ଯୁବପିଢି ମାନେ ଭିଆଉଛନ୍ତି ନାରକୀୟ କାଣ୍ଡ । ଏନେଇ ସ୍ଥାନୀୟ ଲୋକେ ପୋଲିସର ବାରମ୍ବାର ଦୃଷ୍ଟି ଆକର୍ଷଣ କରଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ପୋଲିସ ପ୍ରଶାସନ ଓ ଜିଲ୍ଲା ଆରକ୍ଷୀ ଅଧିକାରୀ ବେଆଇନ ବେପାର ଦିଗରେ ଦୃଷ୍ଟିଦେବାକୁ ସାଧାରଣରେ ଦାବି ଜୋର ଧରିଛି ।

