ଦଲାଲଙ୍କ କବ୍‌ଜାରେ ଭୁବନେଶ୍ୱର ଏମ୍ସ: ୧୫୦୦ ଟଙ୍କାରେ ବିକ୍ରି ହେଉଛି ୧୦ ଟଙ୍କାର ଟିକେଟ୍, ଅଡିଓ ଭାଇରାଲ

1 min read

ଭୁବନେଶ୍ୱର: ଏମ୍ସ ହସ୍ପିଟାଲ । ମାଗଣାରେ ଡାକ୍ତରଙ୍କ ପରାମର୍ଶ ସହ ଉନ୍ନତ ଚିକିତ୍ସା ସେବା ଯୋଗାଉଥିବା ଜାତୀୟସ୍ତରର ଏକମାତ୍ର ସରକାରୀ ପ୍ରତିଷ୍ଠାନ । ଏଣୁ ପ୍ରତିଦିନ ଦୂରଦୂରାନ୍ତର ରୋଗୀଙ୍କ ଭିଡ଼ ଜମେ ରାଜଧାନୀର ଏହି ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ । ହେଲେ ଦଲାଲଙ୍କ ଦୌରାତ୍ମ ଯୋଗୁଁ ମାଗଣା ସ୍ୱାସ୍ଥ୍ୟସେବା ପ୍ରହସନ ପାଲଟିଛି । ସାଧାରଣ ଓପିଡି ଟିକେଟ ଖଣ୍ଡେ ପାଇଁ ରୋଗୀଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟ କରୁଛନ୍ତି ଦଲାଲ ।

ଦଲାଲ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ଭିତରେ ଚାଲିଛି ଡିଲ୍ । ମାଗଣା ଓପିଡି ଟିକେଟ ଖଣ୍ଡିଏ ପାଇଁ ଏଭଳି ଲୁଟର ଶିକାର ହେଉଛନ୍ତି ନୀରିହ ରୋଗୀ । ଆଡଭାନ୍ସ ଟଙ୍କା ଦେଲେ ବୁକ୍ ହେଉଛି ଟିକେଟ୍‌ । ଉନ୍ନତ ତଥା ଅତ୍ୟାଧୁନିକ ଚିକିତ୍ସା ସେବା ପାଇଁ କେବଳ ଓଡିଶା କାହିଁକି ପଡୋଶୀ ରାଜ୍ୟର ଲୋକଙ୍କ ଭରସା ଭୁବନେଶ୍ୱର ଏମ୍ସ । ଡାକ୍ତରଖାନାର ସୁପରିଚାଳନା ଓ ସୁରକ୍ଷା ଦୃଷ୍ଟିରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ସୁରକ୍ଷା କର୍ମୀ ଓ ସିସିଟିଭି ଲଗାଯାଇଛି । ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗଇବାକୁ ଓପିଡି ଟିକେଟ ମଧ୍ୟ ମାଗଣା ରଖାଯାଇଛି । ହେଲେ ଲମ୍ବା ଧାଡିରେ ଦୀର୍ଘ ସମୟ ଧରି ଅପେକ୍ଷା କରି ମଧ୍ୟ ଟିକେଟ ଖଣ୍ଡିଏ ସଂଗ୍ରହ କରିବା ରୋଗୀଙ୍କ ପାଇଁ ସମ୍ଭବପର ହେଉନି । ଫଳରେ ଦଲାଲ ହାବୁଡରେ ପଡ଼ି ଲୁଟର ଶିକାର ହେଉଛନ୍ତି ରୋଗୀ । ଏମ୍ସ କର୍ମଚାରୀ ଓ ଦଲାଲଙ୍କ ମିଲିଭଗତରେ ଏଭଳି ଲୁଟତରାଜ ହେଉଥିବା ଅଭିଯୋଗ କରିଛନ୍ତି ରୋଗୀ ଓ ସମ୍ପର୍କୀୟ ।

ଏମ୍ସରେ ଦଲାଲରାଜ କଥା ସ୍ୱୀକାର କରିଛନ୍ତି ଏମ୍ସ ଅଧିକ୍ଷକ । କହିଛନ୍ତି, ହସ୍ପିଟାଲରେ ନ୍ୟୁରୋଲୋଜି, ନେଫ୍ରୋଲୋଜି ଓ ୟୁରୋଲୋଜି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସିଟ ସଂଖ୍ୟା କମ୍ ରହିଛି । ଫଳରେ ସପ୍ତାହିକ ମାତ୍ର ୩ଦିନ ରୋଗୀସେବା ମିଳିଥାଏ । ରୋଗୀଙ୍କ ସୁବିଧା ପାଇଁ ଉଭୟ ଅଫଲାଇନ ଓ ଅନଲାଇନରେ ଟିକେଟ ସଂଗ୍ରହ ସୁବିଧା ରହିଛି । ତେବେ ପୂର୍ବରୁ ୩-୪ଜଣ ଦଲାଲଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଲୋକ ସଚେତନ ନହେଲେ ଡାକ୍ତରଖାନାକୁ ଦଲାଲ ମୁକ୍ତ କରିବା କଷ୍ଟକର ବୋଲି କହିଛନ୍ତି ଏମ୍ସ ଅଧିକ୍ଷକ ।

ଏମ୍ସ ଭଳି ଜାତୀୟସ୍ତରର ଡାକ୍ତରଖାନାକୁ ଦଲାଲରାଜ ନେଇ ଚିନ୍ତା ପ୍ରକଟ କରିଛନ୍ତି ରୋଗୀ ଓ ରୋଗୀଙ୍କ ସଂପର୍କୀୟ । ନଚେତ ଉନ୍ନତମାନର ଚିକିତ୍ସା ସେବା ତ ଦୂରର କଥା ସାମାନ୍ୟତମ ସେବା ପାଇବା ମଧ୍ୟ ମୁସ୍କିଲ ହୋଇପଡ଼ିବ ।

Leave a Reply