ଟି- ସେତୁ ତଳୁ ବେଧଡ଼କ ଚାଲିଛି ବାଲି ଚୋରା ଚାଲାଣ

1 min read

ବାଙ୍କୀ : ମହାନଦୀ ଉପରେ ନିର୍ମାଣଧୀନ ଦୀର୍ଘତମ ସେତୁ ତଳ ବାଲି ଉପରେ ମାଫିଆଙ୍କ ନାଲି ଆଖି । ହାଇ ଲେବଲ ଟି- ସେତୁ ତଳୁ ବେଧଡକ ଚାଲିଛି ବାଲି ଚୋରା ଚାଲାଣ । ଶହ ଶହ ଟ୍ରିପ ବାଲି ଉଠାଣ କରି ଚଢା ଦରରେ ବାହାର ରାଜ୍ଯକୁ ବିକୁଛନ୍ତି ମାଫିଆ । ବାଲି ବିକ୍ରି ମାଲାମାଲ ଦଲାଲ । ପ୍ରଶ୍ନ ଉଠୁଛୁ- ଏତେ ମାତ୍ରାରେ ବାଲି ଚାଲାଣ ହେଉଥିବା ବେଳେ ପୋଲିସ ଜାଣି ପାରୁନାହିଁ କେମିତି ? ନା ପୋଲିସ ଓ ବାଲିମାଫିଆଙ୍କ ସଲାସୁତରାରେ ଚାଲିଛି କି ବାଲି ଚାଲାଣ ? ରାଜ୍ଯରେ ଗମନାଗମନ ସୁବିଧା ନିମନ୍ତେ ମହାନଦୀରେ କଟକ ବାଙ୍କୀ ବ୍ଲକର ବୈଦେଶ୍ୱର ଠାରୁ ବଡମ୍ବା ବ୍ଲକର ଗୋପୀନାଥପୁରକୁ ସଂଯୋଗ କରୁଥିବା ଦୀର୍ଘତମ ଟି- ସେତୁ ନିର୍ମାଣ ହୋଇଥିଲା । ୧୩୧ କୋଟି ଟଙ୍କାରେ ନିର୍ମାଣ ହୋଇଛି ଏହି ଟି- ସେତୁ । ୨୦୨୧ ମସିହା ଡିସେମ୍ବର ମାସ ୨୦ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତୁ ଲୋକାର୍ପିତ କରିଥିଲେ । ସେହି ଦିନଠାରୁ ଲୋକେ ଖୁବ୍ କମ୍ ସମୟରେ କଟକ ଓ ଭୁବନେଶ୍ବରକୁ ଯାଇ ପାରୁଛନ୍ତି । କିନ୍ତୁ ଏବେ ବୈଦେଶ୍ୱର ପଟୁ ଦୀର୍ଘତମ ସେତୁ ତଳୁ ବାଲିମାଫିଆ ମାନେ ଦିନ ଦ୍ଵିପ୍ରହରରେ ଅସ୍ଥାୟୀ ରାସ୍ତା ନିର୍ମାଣ କରି ବାଲି ଚୋରା ଚାଲାଣ କରୁଥିବା ଦୃଶ୍ଯ ଦେଖିବାକୁ ମିଳିଛି । ଖୁଣ୍ଟ ତଳୁ ବାଲି ଉଠାଣ କରିବା ଦ୍ୱାରା ସେତୁର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମହାନଦୀରୁ ଏବେ ରଜୀବ, ସାଁପୁର ଗ୍ରାମ ଠାରେ ଚୋରାରେ ଉଠୁଛି ବାଲି । ବାଙ୍କୀ ତହସିଲ ଅଧିନରେ ଅନୁଆରୀ, ବୈଦେଶ୍ୱର, କୋଟଦ୍ୱାର, ଓସ୍ତିଆ, ତେନ୍ତୁଳିଆ, ବାଲି ଘାଟ ଲିଜ ସୁତ୍ରରେ ନିଲାମ ହୋଇଛି । ହେଲେ ଓସ୍ତିଆ ବାଲି ଘାଟ ଓସ୍ତିଆରେ ନ ହୋଇ ସୁବର୍ଣ୍ଣପୁରରେ କରାଯାଇ ବେଧଡକ ବାଲି ଉଠାଣ ହେଉଛି। ବାରାମ୍ବାର ଚଢ଼ାଉ ସତ୍ତ୍ଵେ ନିୟମକୁ ମାନୁ ନାହିଁ ଲିଜ ଧାରୀ।  ଲିଜ ବାତିଲ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ବାଲି ଚାଲାଣ ହେଉଥିବା ନେଇ ଅଭିଯୋଗ ପାଇବା ତତ୍ପର ହୋଇ ଉଠିଛନ୍ତି କଟକ ଜିଲ୍ଲାପାଳ । ବାଲି ଉଠାଣ ହେଉଥିବା ଅଞ୍ଚଳରେ ୧୬୩ ଧାରା ଲାଗୁ କରିବା ସହିତ ଅମାନ୍ୟ କରୁଥିବା ବାଲି ମାଫିଆଙ୍କୁ ଗିରଫ କରିବାକୁ  ଉପ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରାଜସ୍ବ ବିଭାଗ ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ କେତେ ମାନୁଛନ୍ତି ବାଲି ମାଫିଆ ତାହା ଉପରେ ସମସ୍ତଙ୍କ ନଜର ।

ନଜର ପକାନ୍ତୁ