ପ୍ରଣବଙ୍କ ନାଁରେ ମିଛ ଖବର ପ୍ରସାରଣ, ନିର୍ଦ୍ଧିଷ୍ଟ ଟିଭି ଚ୍ୟାନେଲକୁ ଓକିଲ ନୋଟିସ୍

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ମିଛ, ଭିତ୍ତିହୀନ ଓ ଅସମ୍ମାନଜନକ ଖବର ପରିବେଷଣ କରିବାରୁ ଏକ ନିର୍ଦ୍ଧିଷ୍ଟ ଓଡ଼ିଆ ଟିଭି ଚ୍ୟାନେଲକୁ ଜାରି ହୋଇଛି ଓକିଲ ନୋଟିସ ।

ଏକ ପ୍ରତିଷ୍ଠିତ ପରିବାରରୁ ଆସିଥିବା ପ୍ରଣବ ପ୍ରକାଶ ଦାସ ବିଜେଡିରେ ଦୀର୍ଘ ବର୍ଷ ଧରି କାମ କରିବା ସହ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ପ୍ରଣବଙ୍କ ଗତ ୧୫ ବର୍ଷର ରାଜନୈତିକ ଜୀବନରେ ପୂର୍ବରୁ ତାଙ୍କ ନାଁରେ କୌଣସି ଅଭିଯୋଗ ବି ନାହିଁ । କିନ୍ତୁ ସମ୍ପୃକ୍ତ ଚ୍ୟାନେଲ ଉଦ୍ଦେଶ୍ୟମୂଳକ ଭାବେ ପ୍ରଣବଙ୍କ ଭାବମୂର୍ତିକୁ କ୍ଷୁର୍ଣ୍ଣ କରିବା ପାଇଁ ଲଗାତର ମିଛ ଖବର ପରିବେଷଣ କରୁଥିବା ତାଙ୍କ ଓକିଲ ତରଣୀକାନ୍ତ ମିଶ୍ର ନୋଟିସରେ ଦର୍ଶାଇଛନ୍ତି ।

ପ୍ରଣବଙ୍କ ସରକାରୀ କ୍ୱାର୍ଟର୍ସ ସମ୍ପର୍କରେ ବିଭ୍ରାନ୍ତିକର ଖବର ପରିବେଷଣ କରିବା ସହ ସମ୍ପୃକ୍ତ ଚ୍ୟାନେଲ ଏହାକୁ ସାରଥୀ ଆଶ୍ରମ ସହ ତୁଳନା କରିଥିଲା । ଏଥିସହ ସରକାରୀ କ୍ବାର୍ଟର୍ସରେ ଖଟିଆ ସେବା ହେଉଥିବା ଭଳି ମିଛ ଖବର ପରିବେଷିତ କରିଥିଲା । ଏପରିକି କ୍ୱାର୍ଟର୍ସକୁ ରଙ୍ଗଶାଳା ଓ ମଧୁଶାଳା ଭାବେ ଚିତ୍ରିତ କରି ସାଧାରଣରେ ପ୍ରଣବଙ୍କ ଭାବମୂର୍ତ୍ତୀ କ୍ଷୁର୍ଣ୍ଣ କରିବା ପାଇଁ ଉଦ୍ୟମ କରାଯାଇଥିବା ନୋଟିସରେ କୁହାଯାଇଛି ।

ସମ୍ପୃକ୍ତ ଚ୍ୟାନେଲ ଏଭଳି ମିଛ ଖବର ଦ୍ବାରା ଉଦ୍ଦେଶ୍ୟମୂଳକ ଭାବେ ପ୍ରଣବଙ୍କ ଚରିତ୍ର ସଂହାର କରିବାକୁ ଉଦ୍ୟମ କରିଛି । ଏସବୁ ଖବର ପରିବେଷଣ ଦ୍ୱାରା ପ୍ରଣବଙ୍କ ସମ୍ମାନ ହାନୀ ହୋଇଥିବାରୁ ସମ୍ପୃକ୍ତ ଚ୍ୟାନେଲ ଦ୍ୱାରା ପରିବେଷିତ ଖବରକୁ ମିଛ ବୋଲି ସ୍ୱୀକାର କରିବାକୁ ନୋଟିସରେ ଦର୍ଶାଯାଇଛି । ସମ୍ପୃକ୍ତ ଚ୍ୟାଲେନ କର୍ତ୍ତୃପକ୍ଷ ପ୍ରଣବଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ସହ ଏଭଳି ଖବର ପରିବେଷଣରୁ ନିବୃତ୍ତ ରହିବାକୁ କୁହାଯାଇଛି । ନୋଟିସର ୧୫ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ ଚ୍ୟାନେଲ ବିରୋଧରେ ପ୍ରଣବ ପ୍ରକାଶ ମାନହାନୀ ମକଦ୍ଦମା କରିବାକୁ ବାଧ୍ୟ ହେବେ ବୋଲି ନୋଟିସରେ ଦର୍ଶାଯାଇଛି ।