ବ୍ରିଟେନ ସେନାକୁ ସେନାମୁଖ୍ୟଙ୍କ ସତର୍କବାଣୀ, ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ

ଲଣ୍ଡନ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ୪ ମାସ ହେବ ଯୁଦ୍ଧ ଚାଲିଛି । ଗୋଟିଏ ପଟେ ତାନାସାହ ପୁଟିନ ୟୁକ୍ରେନକୁ ନିଜ ଅକ୍ତିଆରକୁ ଆଣିବା ପାଇଁ ଯୁଦ୍ଧ ବନ୍ଦ କରିବାର ନାଁ ନେଉନାହିଁ । ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ନିଜର ଆତ୍ମସମ୍ମାନ ରକ୍ଷା ପାଇଁ ଆତ୍ମସମର୍ପଣ ନକରି ମୁଁହତୋଡ ଜବାବ ଦେଉଛନ୍ତି । ଏହାରି ମଧ୍ୟରେ ଏକ ବଡ ବୟାନ ଦେଇଛନ୍ତି ବ୍ରିଟେନର ନବନିଯୁକ୍ତ ସେନାମୁଖ୍ୟ ଜେନେରାଲ ପାକ୍ଟ୍ରିକ ସାଣ୍ଡର୍ସ । ସେ କହିଛନ୍ତି ୟୁକ୍ରେନରେ ଭ୍ଲାଦମିର ପୁଟିନ ନରସଂହାର କରୁଛନ୍ତି । ବିଶ୍ୱ ସୁରକ୍ଷାର ମୂଳଦଆକୁ ପୁଟିନ ଦୋହଲାଇ ଦେଇଛନ୍ତି । ତେଣୁ ଋଷର ଏପରି ଆଭିମୁଖ୍ୟର କଡା ଜବାବ ଦେବାକୁ ନିଜ ସେନାକୁ ପ୍ରସ୍ତୁତ କରୁଥିବା କଥା କହିଛନ୍ତି ।

ଗତ ସୋମବାର ପାଟ୍ରିକ ସେନାମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପଦ ଗ୍ରହଣ କରିବାର ୪ର୍ଥ ଦିନରେ ସେ ଏକ ସନ୍ଦେଶରେ କହିଛନ୍ତି ଏବେ ଆମ ସହଯୋଗୀଙ୍କ ସହ ମିଶି ଲଢିବା ଏବଂ ଯୁଦ୍ଧରେ ଋଷକୁ ପରାସ୍ତ କରିବା ପାଇଁ ସେନାକୁ ଶସକ୍ତ କରାଇବାର ସମୟ ଆସିଛି।

ବ୍ରିଟେନ ସରକାର ୭୩ହଜାର ସୈନିକଙ୍କୁ ଛଟେଇ କରିଛନ୍ତି, ୩୦୦ ବର୍ଷରେ ପ୍ରଥମ ଥର ପାଇଁ ପାକ୍ଟ୍ରିକ ସାଣ୍ଡର୍ସ ସବୁଠୁ ଛୋଟ ସେନାର ନେତୃତ୍ୱ ନେବେ। ଦ୍ୱିତୀୟ ବିଶ୍ୱଯୁଦ୍ଧର ଉଲ୍ଲେଖ କରି ସେ କହିଛନ୍ତି, ୟୁରୋପୀୟମାନଙ୍କୁ ପୁଣିଥରେ ଲଢିବା ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ । ୧୯୪୧ ମସିହା ପରେ ସେ ପ୍ରଥମ ଜେନେରାଲ, ଯାହାଙ୍କ କାର୍ଯ୍ୟକାଳରେ ୟୁରୋପ ଉପରେ ଯୁଦ୍ଧର ଛାୟା ରହିଛି । ନରସଂହାର ଅଭିମୁଖେ ଅଗ୍ରସର ଋଷକୁ ଯୁଦ୍ଧରେ ପରାସ୍ତ କରି ବ୍ରିଟେନକୁ ସୁରକ୍ଷିତ ରଖିବାର ସମୟ ଆସିଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

ସେ ପ୍ରତିଜ୍ଞା ନେଇଛନ୍ତି ଖୁବଶୀଘ୍ର ସେନାର ଆଧୁନୀକରଣ କରିବେ ଏବଂ ବ୍ରିଟେନ ବାହାରେ ସେନାର ବିସ୍ତାର କରିବେ । ସେ ଆଗକୁ କହିଛନ୍ତି ଏହି ଦୁଇ ପଦକ୍ଷେପ ନାଟୋ କୁ ଶକ୍ତିଶାଳୀ କରିବ ଏବଂ ଋଷର ୟୁରୋପ କବ୍ଜା ନୀତିକୁ ରୋକିବ । ମୋର ପ୍ରଥମ କାର୍ଯ୍ୟ ହେଉଛି ଆମ ସେନାକୁ ଯଥାସମ୍ଭବ ଘାତକ ଏବଂ ପ୍ରଭାବଶାଳୀ କରିବା । ସୂଚନାଯୋଗ୍ୟ, ଜେନେରାଲ ସାଣ୍ଡର୍ସ ଇରାକ ଏବଂ ଆଫଗାନିସ୍ତାନରେ ମଧ୍ୟ ସେନାର ନେତୃତ୍ୱ ନେଇ ସାରିଛନ୍ତି ।