ୟୁକ୍ରେନକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସରପ୍ରାଇଜ ଭିଜିଟ, ଋଷ ବିରୋଧରେ ହୋଇପାରେ…

1 min read

କିଭ୍: ଋଷ ବିରୋଧରେ ଚାଲିବ ବଡ଼ ଧରଣର ଲଢେଇ । ୟୁକ୍ରେନକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସରପ୍ରାଇଜ ଭିଜିଟ । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ କରିଛନ୍ତି ଆଲୋଚନା । ଯୁଦ୍ଧବିଧ୍ବସ୍ତ କିଭ୍ ସହର ପରିଦର୍ଶନ କରିବା ସହ ପ୍ରସ୍ତୁତ କରିଛନ୍ତି ରଣନୀତି । ଏହାସହ ଆର୍ଥିକ ଓ ସାମରିକ ସହାୟତା ଯୋଗାଇବା ଲାଗି ଦେଇଛନ୍ତି ପ୍ରତିଶ୍ରୁତି । କିଭ ସହର ପରିଦର୍ଶନ ବେଳେ ସେ ଜେଲେନସ୍କିଙ୍କ ସହ ବୁଲିବା ସହ କେତେକ ନାଗରିକଙ୍କ ସହ ଆଲୋଚନା କରିଥିଲେ । ୟୁକ୍ରେନକୁ ସବୁପ୍ରକାର ସହାୟତା ଦେବା ଲାଗି ସେ ଦେଇଛନ୍ତି ପ୍ରତିଶ୍ରୁତି ।

ଏହାସହ ୟୁକ୍ରେନକୁ ବ୍ରିଟେନ ବିଭିନ୍ନ ସାମରିକ ଯାନ ଓ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ର ଯୋଗାଇବ ବୋଲି କହିଛନ୍ତି ଜନସନ । ଜେଲେନସ୍କି କହିଛନ୍ତି- ଋଷର ଯୁଦ୍ଧନୀତି ବିରୋଧରେ ୟୁକ୍ରେନ ଅଣ୍ଟା ଭିଡ଼ିଛି । ଏକ ବଡ଼ ଯୁଦ୍ଧ ବିରୋଧରେ ୟୁକ୍ରେନ ପ୍ରସ୍ତୁତ । ଏଣିକି ଋଷର ସମସ୍ତ ଯୋଜନା ବିରୋଧରେ ୟୁକ୍ରେନ ସଂଗ୍ରାମ କରିବ । ଗତ ସପ୍ତାହରେ କିଭରୁ ଋଷବାହିନୀ ହଟିଥିବାବେଳେ ସହରରେ ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଛି ୟୁକ୍ରେନ । ସେପଟେ ପୂର୍ବ ୟୁକ୍ରେନର କ୍ରାମାତୋର୍ସ୍କରେ ଉଦ୍ଧାର ପ୍ରକ୍ରିୟା ଜୋର ଧରିଛି । ଏଠାରେ ଏକ ଷ୍ଟେସନ ଉପରେ ହୋଇଥିବା ଆକ୍ରମଣରେ ୫୨ ଜଣ ପ୍ରାଣ ହରାଇଥିଲେ । ୟୁକ୍ରେନରେ ମିକୋଲେଭରେ ଋଷ କ୍ଷେପଣାସ୍ତ୍ର ମାଡ କରିଥିବା ସୂଚନା ମିଳିଛି ।

ସେପଟେ ଯୁଦ୍ଧର ୪୬ତମ ଦିନରେ ବି ଋଷ ଜାରି ରଖିଛି ଆକ୍ରମଣ । ପୂର୍ବ ଓ ଦକ୍ଷିଣାଞ୍ଚଳ ୟୁକ୍ରେନକୁ ଫୋକସ କରିଛି ଋଷ । ଗତକାଲି ଜେଲେନସ୍କିଙ୍କୁ ୟୁରୋପୀୟ ରାଷ୍ଟ୍ରସଂଘର କେତେକ ନେତା ସାକ୍ଷାତ କରି ଆଲୋଚନା କରିଥିଲେ । ତେଣେ ଖାରକୋଭରେ ହୋଇଥିବା ହମଲାର ଚିତ୍ର ପଦାକୁ ଆସିଛି । ସାରା ସହରରେ ଧ୍ବଂସଲୀଳା ହୋଇଥିବା ସହ ବହୁ କୋଠା କ୍ଷତିଗ୍ରସ୍ତ ହୋଇଛି । ତେଣେ ହାହାକାରଗ୍ରସ୍ତ ମାରିୟୁପୋଲରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।