ୟୁକ୍ରେନକୁ ଶକ୍ତିଶାଳୀ ମାସଟିଫ୍ ସାଞ୍ଜୁଆ ଯାନ ଓ ଅସ୍ତ୍ରଶସ୍ତ୍ର ପଠାଇବ ବ୍ରିଟେନ

1 min read

କିଭ୍: ୪୫ ଦିନରେ ଋଷ-ୟୁକ୍ରେନ ଓ୍ୱାର । ଥମିବାର ନାଁ ନେଉନି ଯୁଦ୍ଧ । ୟୁକ୍ରେନ ବାହିନୀକୁ ଅଧିକ ଶକ୍ତିଶାଳୀ କରିବା ଲାଗି ବିଦେଶୀ ରାଷ୍ଟ୍ର ଚଳାଇଛନ୍ତି ଅଭିଯାନ । ୟୁକ୍ରେନକୁ ବହୁ ସଂଖ୍ୟକ ମାସଟିଫ୍ ସାଞ୍ଜୁଆ ଯାନ ଦେବାକୁ ଘୋଷଣା କରିଛି ବ୍ରିଟେନ । ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରୀ ବେନ୍ ଓ୍ବାଲେସ ୟୁକ୍ରେନକୁ ମାସଟିଫ୍ ସାଞ୍ଜୁଆ ଯାନ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଏହି ସାଞ୍ଜୁଆ ଯାନ ଚାଳନା ସର୍ମ୍ପିକିତ ପ୍ରଶିକ୍ଷଣ ୟୁକ୍ରେନ ନିକଟବର୍ତ୍ତି ରାଷ୍ଟ୍ରରେ ବ୍ରିଟିଶ ସେନା ଦେବ । ଏହି ଯାନ ଅତି ଶକ୍ତିଶାଳୀ ଏବଂ ଏଥିରେ ୮ ଜଣ ସୈନ୍ୟ ଓ ଦୁଇ ଜଣ ଯାତ୍ରୀ ଯାଇପାରିବେ । ଏଥିରେ ବହୁ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଏହାସହ ୟୁକ୍ରେନକୁ ୧୦୦ ନିୟୁତ ପାଉଣ୍ଡ ମୂଲ୍ୟର ଅସ୍ତ୍ରଶସ୍ତ୍ର ପଠାଯିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ ।

ସେପଟେ ୟୁକ୍ରେନ ବୁଚା ସହରରେ ଗଣକବରସ୍ଥଳୀରୁ ମୃତଦେହ ବାହାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଯୁଦ୍ଧ ଅପରାଧ ମାମଲା ନେଇ ଏହି ପଦକ୍ଷେପରେ ସାମିଲ ହୋଇଛନ୍ତି ତଦନ୍ତକାରୀ ଅଧିକାରୀ ଓ ପୋଲିସ । ସେପଟେ ୟୁକ୍ରେନର ବିଭିନ୍ନ ବନ୍ଦରରେ ଦୀର୍ଘ ଦିନ ଧରି ୧ ହଜାରରୁ ଅଧିକ ନାବିକ ଫସି ରହିଥିବା ସୂଚନା ଦେଇଛନ୍ତି ଆନ୍ତର୍ଜାତିକ ଶ୍ରମ ସଂଗଠନ ଓ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ । ଯୁଦ୍ଧ ଯୋଗୁ ପ୍ରାୟ ୧୦୦ ବାଣିଜ୍ୟକ ଜାହାଜ ୟୁକ୍ରେନ ବନ୍ଦର ଛାଡି ପାରୁନାହାନ୍ତି । ଫସିଥିବା ନାବିକଙ୍କୁ ତୁରନ୍ତ ସହାୟତା ଲାଗି ଜାତିସଂଘ ଶରଣାର୍ଥୀ ଆୟୋଗ ଓ ରେଡକ୍ରସ୍ ନିକଟରେ ଅନୁରୋଧ କରାଯାଇଛି । ଆଜୋଭ ସାଗର ଓ ମାରିୟୁପୋଲର ସ୍ଥିତି ଜଟିଳ ଥିବାରୁ ଜାହାଜ ଗୁଡିକ ବନ୍ଦର ଛାଡିପାରୁ ନାହାନ୍ତି ।

ଅନ୍ୟପଟେ ଯୁଦ୍ଧ ଯୋଗୁ ପ୍ରାୟ ୧୨ଟି ଆନ୍ତର୍ଜାତିକ ସଂଗଠନର କାର୍ଯ୍ୟାଳୟ ବନ୍ଦ କରାଯାଇଛି ବୋଲି କହିଛି ଋଷ । ତନ୍ମଧ୍ୟରେ ରହିଛି ହ୍ୟୁମାନ ରାଇଟ୍ସ ଓ୍ୱାଚ୍, ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଇତ୍ୟାଦି ସଂଗଠନର କାର୍ଯ୍ୟାଳୟ । ଯୁଦ୍ଧର ଘନଘଟା ଭିତରେ ବର୍ତ୍ତମାନ ସୁଦ୍ଧା ଘର ଛାଡିଥିବା କିମ୍ବା ବିଦେଶରେ ଶରଣାର୍ଥୀ ସାଜିଥିବା ୟୁକ୍ରେନୀୟଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷରୁ ଅଧିକ ହୋଇଛି ।

ସେପଟେ ବ୍ରିଟେନର କଟକଣା ତାଲିକାରେ ସ୍ଥାନୀତ ହୋଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୁଇ କନ୍ୟା କାଟେରିନା ଓ ମାରିଆ । ଆମେରିକା ଓ ୟୁରୋପୀୟ ରାଷ୍ଟ୍ରସଂଘ ପରେ ବ୍ରିଟେନ ଦୁଇ କନ୍ୟାଙ୍କ ବିରୋଧରେ ଏହି କଟକଣା ଲଗାଇଛି । ଏହା ସହ ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରଭଙ୍କ କନ୍ୟା ୟାକାଟେରିନା ବି କଟକଣାର ଶିକାର ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଋଷର ୧୨୦୦ ବ୍ୟକ୍ତି ବିଶେଷ, ୭୬ ଜଣ ଅର୍ବୁଦପତି, ୧୬ଟି ବ୍ୟାଙ୍କ ବିରୋଧରେ କଟକଣା ଲଗାଇ ସାରିଛି ବ୍ରିଟେନ । ପୁଟିନଙ୍କ ଦୁଇ କନ୍ୟାଙ୍କୁ ମିଶାଇ ଋଷର ମୋଟ ୨୧୭ ଜଣଙ୍କ ବିରୋଧରେ କଟକଣା ଜାରି କରିସାରିଛି ୟୁରୋପୀୟ ରାଷ୍ଟ୍ରସଂଘ ।