ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ହେବେ ଲିଜ୍ ଟ୍ରସ୍, ଆଜି ଶପଥ ଗ୍ରହଣ ଉତ୍ସବ

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ନେବେ ଲିଜ୍ ଟ୍ରସ୍ । କଞ୍ଜରଭେଟିଭ ପାର୍ଟି ପକ୍ଷରୁ ଚାଲିଥିବା ଆଭ୍ୟନ୍ତରୀଣ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ଲିଜ୍ । ଲିଜଙ୍କୁ ୮୧ ହଜାର ୩୨୬ ଭୋଟ ମିଳିଥିବା ବେଳେ ଋଷି ସୁନକଙ୍କୁ ମିଳିଥିଲା ୬୦ ହଜାର ୩୯୯ ଭୋଟ୍ । ବିଜୟ ପରେ ଲିଜ୍ କହିଛନ୍ତି କଞ୍ଜରଭେଟିଭ ଦଳର ନେତା ଭାବେ ସେ ନିର୍ବାଚିତ ହୋଇଛନ୍ତି । ଦେଶର କଠିନ ସମୟରେ ସେ ସଠିକ୍ ଦାୟିତ୍ୱ ତୁଲାଇବା ଦିଗରେ ଚେଷ୍ଟା କରିବେ । ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ସେ ପଦକ୍ଷେପ ନେବେ । ମାର୍ଗାରେଟ ଥାଚର ଓ ଥେରେସା ମେ’ଙ୍କ ପରେ ଲିଜ୍ ଟ୍ରସ୍ ହୋଇଛନ୍ତି ଦେଶର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ । ଭୋଟିଂ ପ୍ରକ୍ରିୟାରେ ଦେଢ଼ ଲକ୍ଷ ପ୍ରତିନିଧିଙ୍କଠାରୁ ଭୋଟ ଗ୍ରହଣ କରାଯାଇଥିଲା । ପୂର୍ବତନ ଚାନସେଲର ଋଷି ସୁନକଙ୍କଠାରୁ ବୈଦେଶିକ ମନ୍ତ୍ରୀ ଲିଜ୍ ଯଥେଷ୍ଟ ଆଗରେ ରହିଆସିଥିଲେ ।

ବ୍ରିଟେନରେ ଅତ୍ୟଧିକ ମୂଲ୍ୟବୃଦ୍ଧି, ମୁଦ୍ରାସ୍ଫୀତି, ବିଦ୍ୟୁତ ଦର ବୃଦ୍ଧି କାରଣରୁ ବୋରିସ ଜନସନଙ୍କ ବିରୋଧରେ ଜନମତ ତୀବ୍ର ହୋଇଥିଲା ।  ଏପରିକି ଗତ ଜୁଲାଇରେ ଦେଶରେ ମୁଦ୍ରାସ୍ଫୀତି ହାର ୧୦.୧ ପ୍ରତିଶତ ହୋଇଥିଲା । କୋଭିଡ କାଳରେ ପାର୍ଟି ଆୟୋଜନ କରି ବେଶ୍ ନିନ୍ଦାର ପାତ୍ର ହୋଇହୋଇଥିଲେ ବୋରିସ । ଏଥିପାଇଁ ଗତ ଜୁଲାଇ ୭ରେ ଇସ୍ତଫା ଦେଇଥିଲେ ଜନସନ । ଆସନ୍ତା ୨୦୨୫ ଜାନୁଆରୀରେ ହେବ ବ୍ରିଟେନ ସାଧାରଣ ନିର୍ବାଚନ । ଲିଜ୍ ଟ୍ରସ୍ ୨୦୧୨ରେ ଶିକ୍ଷା ବିଭାଗ ଉପମନ୍ତ୍ରୀ ହୋଇଥିଲେ । ୨୦୧୪ରୁ ୨୦୧୬ ଯାଏ ସେ ପରିବେଶ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ଏହା ପରେ ସେ ନ୍ୟାୟ ବିଭାଗ ମନ୍ତ୍ରୀ ହୋଇଥିବା ବେଳେ ୨୦୧୭ରୁ ୨୦୧୯ ଯାଏ ଟ୍ରେଜେରୀ ମନ୍ତ୍ରୀ ଥିଲେ । ୨୦୧୯ରୁ ୨୦୨୧ ଯାଏ ସେ ଥିଲେ ଆନ୍ତର୍ଜାତିକ ବାଣିଜ୍ୟ ମନ୍ତ୍ରୀ । ଗତବର୍ଷରୁ ଲିଜ୍ ଗୁରୁତ୍ୱପୂର୍ଣ୍ଣ ବୈଦେଶିକ ବିଭାଗ ସମ୍ଭାଳି ଆସିଥିଲେ ।