ୟୁକ୍ରେନ ସୈନ୍ୟଙ୍କୁ ବ୍ରିଟେନରେ ତାଲିମ, ଚଳିତବର୍ଷ ଶେଷ ସୁଦ୍ଧା ୨୦ ହଜାରରୁ ଅଧିକ ସୈନ୍ୟଙ୍କୁ ପ୍ରଶିକ୍ଷଣ ଦେବା ଯୋଜନା

କିଭ୍: ୟୁକ୍ରେନର ସୈନ୍ୟଙ୍କୁ ବ୍ରିଟେନରେ ତାଲିମ । ଚଳିତ ବର୍ଷ ଶେଷ ସୁଦ୍ଧା ୟୁକ୍ରେନର ୨୦ ହଜାରରୁ ଅଧିକ ସୈନ୍ୟଙ୍କୁ ତାଲିମ ଦେବା ଲାଗି ଯୋଜନା କରିଛି ବ୍ରିଟେନ । ୟୁକ୍ରେନକୁ ବ୍ରିଟେନ ବିଭିନ୍ନ ଯୁଦ୍ଧାସ୍ତ୍ର ସହାୟତା ଦେଉଥିବାବେଳେ ସୈନ୍ୟଙ୍କୁ ତାଲିମ ଦେବା ପ୍ରକ୍ରିୟା ଜାରି ରଖିଛି । ଗତବର୍ଷ ଜୁନ ମାସରୁ ବ୍ରିଟେନ ୟୁକ୍ରେନର ପ୍ରାୟ ୧୦ ହଜାର ସଦସ୍ୟଙ୍କୁ ତାଲିମ ଦେଇସାରିଛି । ୟୁକ୍ରେନର ସୈନ୍ୟଙ୍କୁ ଅଳ୍ପ କିଛି ସପ୍ତାହ ପ୍ରଶିକ୍ଷଣ ଦିଆଯାଉଥିବାବେଳେ ସର୍ଚ୍ଚ ଅପରେସନ, ଷ୍ଟ୍ରାଟେଜିକ୍ ଆକ୍ରମଣ, ଅସ୍ତ୍ରଶସ୍ତ୍ର ବ୍ୟବହାର, ପାଟ୍ରୋଲ କୌଶଳ ଆଦି କ୍ଷେତ୍ରରେ ତାଲିମ ଦିଆଯାଉଛି । ବ୍ରିଟେନର ଏହି ତାଲିମ କାର୍ଯ୍ୟକ୍ରମ ପ୍ରକ୍ରିୟାରେ ବି ସାମିଲ ଅଛନ୍ତି କାନାଡା ଓ ଲିଥୁଆନିଆ ।

ସେପଟେ ୟୁକ୍ରେନର ବାଖମତରେ ଋଷ ସୈନ୍ୟଙ୍କୁ କଡ଼ା ଟକ୍କର ଦେଉଛନ୍ତି ୟୁକ୍ରେନ ସୈନ୍ୟ । ସାହସିକତା ପ୍ରଦର୍ଶନ କାରଣରୁ ନିଜ ଦେଶର ସୈନ୍ୟଙ୍କୁ ମେଡାଲ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ବାଖମତ ସହର ଅକ୍ତିଆର ଋଷ ଲାଗି ପ୍ରମୁଖ ଚାଲେଞ୍ଜ ହୋଇଥିବାବେଳେ ସେଠାରେ ୟୁକ୍ରେନ ସୈନ୍ୟଙ୍କ ସାହସକୁ ପ୍ରଶଂସା କରିଛନ୍ତି ଜେଲେନସ୍କି । ଗତକାଲିର ଆକ୍ରମଣରେ ୧୩ଟି ଟ୍ୟାଙ୍କ୍, ଗୋଟିଏ ଏୟାର ଡିଫେନ୍ସ ସିଷ୍ଟମ, ୧୧ଟି ଆର୍ମଡ ପର୍ସନାଲ କ୍ୟାରିୟର ଧ୍ବଂସ ହୋଇଥିବା ସୂଚନା ମିଳିଛି । ସେପଟେ ପୋଲାଣ୍ଡ ଗସ୍ତରେ ଯାଇ ସୀମାରେ ୟୁକ୍ରେନୀୟ ସୈନ୍ୟଙ୍କୁ ଭେଟିଛନ୍ତି ବ୍ରିଟେନର ପ୍ରିନ୍ସ ଓ୍ବିଲିୟମ ।