ବ୍ରିଟେନ ଅର୍ଥ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କ ଇସ୍ତଫା

ଲଣ୍ଡନ: ବ୍ରିଟେନର ଅର୍ଥମନ୍ତ୍ରୀ ଋଷି ସୁନକ ଏବଂ ସ୍ୱାସ୍ଥ୍ୟ ସଚିବ ସାଜିଦ ଜାଭେଦ ମଙ୍ଗଳବାର ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ମତଭେଦ କାରଣରୁ ଇସ୍ତଫା ଦେଇଥିବା କୁହାଯାଉଛି  । ଦୁଇଜଣଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସରକାର ଏବେ ସଙ୍କଟରେ ପଡିଯାଇଛି । ଜାଭେଦ କହିଛନ୍ତି ଜନସନ ଦୁର୍ନୀତି ପରେ ଦୁର୍ନୀତି କରି ଦେଶ ହିତରେ ଶାସନ କରିବାର କ୍ଷମତା ଉପରେ ବିଶ୍ୱାସ ହରାଇଛନ୍ତି । ସେଥିପାଇଁ ଜନସନଙ୍କ ସରକାରରୁ ଇସ୍ତଫା ଦେଇଛି ।

ସେ ଆଗକୁ କହିଥିଲେ ଅନେକ ସାଂସଦ ଏବଂ ଜନତା ଜନସନଙ୍କ ଦେଶ ହିତରେ ଶାସନ କରିବାର କ୍ଷମତା ଉପରେ ବିଶ୍ୱାସ ହରାଇଛନ୍ତି । ସରକାରଙ୍କ ଉପରେ ଲୋକମାନେ ଯେଉଁ ଆଶା ଆଉ ଭରସା ରଖିଥିଲେ ସେସବୁକୁ ଧୀରେ ଧୀରେ ହରାଉଛନ୍ତି ଜନସନ  । ଋଷି ସୁନକ ଚାନ୍ସଲର ପଦରୁ ଇସ୍ତଫା ଦେଇ କହିଛନ୍ତି, ସରକାର ସଠିକ ଢଙ୍ଗରେ ଏବଂ ଲୋକଙ୍କ ହିତରେ ଚାଲିବା ଦରକାର । ଯେଉଁ ବିଶ୍ୱାସର ସହ ଆମକୁ ଲୋକମାନେ ନିର୍ବାଚିତ କରିଛନ୍ତି ଆମେ ତାକୁ ଭାଙ୍ଗିବା କଥା ନୁହେଁ  । ମୁଁ କିନ୍ତୁ ସଠିକ ଢଙ୍ଗରେ କାର୍ଯ୍ୟ କରିବା ପାଇଁ ସ୍ୱାଧୀନତା ପାଇଲି ନାହିଁ ଏବଂ ଏହି କାରଣରୁ ଇସ୍ତଫା ଦେଉଛି  ।

ଏହାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ନେତୃତ୍ୱ ବିରୋଧରେ ବିଦ୍ରୋହର ବଡ ଆହ୍ୱାନ ବୋଲି ଆଶଙ୍କା କରାଯାଉଛି । ନିକଟରେ ଦୁଇଟି ଉପନିର୍ବାଚନ ହୋଇଥିଲା, ଯେଉଁଥିରେ କ୍ଷମତାସୀନ କନଜରଭେଟିବ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହାପରଠୁ ମନ୍ତ୍ରୀମାନଙ୍କ ମଧ୍ୟରେ ବିରୋଧର ସ୍ୱର ଉଠିଥିଲା  ।