ସରକାର ବଦଳିବା ପରେ ସହିଦ ଲକ୍ଷ୍ମଣ ନାୟକଙ୍କ ଗାଁକୁ ସଂଯୋଗ କରୁଥିବା ପୋଲ କାମ ବନ୍ଦ

କୋରାପୁଟ: ଅବହେଳିତ ସ୍ବାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ନଣ ନାୟକଙ୍କ ଗାଁ ତେନ୍ତୁଳିଗୁମ୍ମା । ଗାଁକୁ ଯିବାକୁ ନାହିଁ ରାସ୍ତା । ତେନ୍ତୁଳିଗୁମା ଗାଁଠାରୁ ବୈପାରିଗୁଡା ବ୍ଲକ ଯିବା ବେଳେ ବାଟରେ ପଡୁଛି ଏକ ନଦୀ । ପୂର୍ବର ବିଜେଡି ସରକାର ଥିବା ବେଳେ ଉକ୍ତ ଦନୀ ଉପରେ ପୋଲି କାମ ଆରମ୍ଭ ହୋଇଥିଲା । ହେଲେ ସରକାର ବଦଳିବା ପରେ କାମ ଠପ୍ ହୋଇଯାଇଛି । ଫଳରେ ତହସିଲ୍ ହେଉ କିମ୍ବା ବ୍ଲକରେ କାମ ପଡ଼ିଲେ ପ୍ରାୟ ୭୦ କିମି ଲୋକଙ୍କୁ ଆସିବାକୁ ପଡୁଛି ।
ଆଦିବାସୀ ନେତା ସହିଦ ଲକ୍ଷ୍ମଣ ନାୟକଙ୍କ ଗାଁ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ତେନ୍ତୁଳିଗୁମ୍ମା । ଗାଁର ବିକାଶ ପାଇଁ ପୂର୍ବ ସରକାରଙ୍କ ସମୟରେ ଆରମ୍ଭ ହୋଇଥିଲା ଯୋଜନା । ଗାଁକୁ ମୁଖ୍ୟ ରାସ୍ତା ସହ ସଂଯୋଗ କରିବାକୁ ନଦୀରେ ପୋଲ ନିର୍ମାଣ ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇ ୪ଟି ସ୍ପାନ କାମ ସରିଥିଲା । କିନ୍ତୁ ସରକାର ବଦଳିଯିବା ପରେ କାମ ଏକପ୍ରକାର ଠପ୍ ହୋଇଯାଇଥିବା ଅଭିଯୋଗ ହେଉଛି ।
ଅଭିଯୋଗ ପରେ କାମ ବିଳମ୍ବ କଥା ସ୍ବୀକାର କରିଛନ୍ତି ଉପ ଜିଲ୍ଲାପାଳ । ତେବେ କେଉଁ କାରଣ ପାଇଁ ଏପରି ହୋଇଛି ଅନୁଧ୍ୟାନ କରିବା ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଏନେଇ ଠିକାଦାରଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।