spot_img

Latest Posts

ପୋଲ ଦବିଲା, ଦାୟୀ କିଏ? ୪.୮୫ କୋଟିର ପୋଲ ଏବେ ବିପଦଶଙ୍କୁଳ

ନନ୍ଦିଘୋଷ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର ବଡ଼ଗୁମୁଡା ନିକଟରେ ନଦୀ ଉପରେ ଥିବା ପୋଲ ଦବିଯାଇ ବିପଦଶଙ୍କୁଳ ହୋଇପଡ଼ିଛି। ୨୦୧୩-୧୪ ମସିହାରେ ପ୍ରାୟ ୪ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପୋଲ ବଡ଼ଆମଡା, ଡାବୁଗାଁ ଓ ଉମରକୋଟ ବ୍ଲକକୁ ସଂଯୋଗ କରିବା ସହ ଉପାନ୍ତ ଅଞ୍ଚଳବାସୀଙ୍କ ପାଇଁ ଜୀବନରେଖା ପାଲଟିଥିଲା। ହେଲେ ଏବେ ପୋଲ ଦବିଯିବାରୁ ଯାନବାହନ ଚଳାଚଳ ତ ଦୂରର କଥା, ପଥଚାରୀଙ୍କ ଯାତାୟାତ ମଧ୍ୟ ବନ୍ଦ ହୋଇଯାଇଛି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ପୋଲର ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ୨୦୨୫-୨୬ରେ ପ୍ରାୟ ୩ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ପ୍ଲିଂଥ ପ୍ରୋଟେକ୍ସନ କାମ ଆରମ୍ଭ କରାଯାଇଥିଲା। ହେଲେ ଏହି କାମ ମଧ୍ୟ ପୋଲକୁ ସୁରକ୍ଷା ଦେଇପାରିନଥିବା ଅଭିଯୋଗ ହୋଇଛି। ପୋଲ ଦବିଯିବା ପାଇଁ ଦାୟୀ କିଏ—ମାଇନିଂ ବିଭାଗ ନା ଗ୍ରାମ୍ୟ ଉନ୍ନୟନ ବିଭାଗ? ନିମ୍ନମାନର କାମ ଯୋଗୁଁ ପୋଲ ଦବିଯାଇଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ଘଟଣାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଡାବୁଗାଁ ବିଧାୟକ। ଅନ୍ୟପକ୍ଷରେ, ପୋଲ ଚାରିପାଖରେ ବେଆଇନ ବାଲି ଉତ୍ତୋଳନ ଯୋଗୁଁ ମାଟି ଧୋଇଯାଇ ପୋଲ ଦବିଥିବା ବିଭାଗୀୟ ଅଧିକାରୀମାନେ କହିଛନ୍ତି। ସୁରକ୍ଷା ଦୃଷ୍ଟିରୁ ପୋଲକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏହାକୁ ଭାଙ୍ଗିବା ପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

Latest Posts

Don't Miss