ଦେଶରେ ବିଜୁଳି ସଂକଟ, ବଦଳିଗଲେ କନ୍ୟା !

ଭୋପାଳ: ଦେଶରେ ଘନେଇବାରେ ଲାଗିଛି ବିଦ୍ୟୁତ୍ ସଙ୍କଟ । ବିଭିନ୍ନ ରାଜ୍ୟରେ ବିଦ୍ୟୁତ୍ କାଟକୁ ନେଇ ଲୋକେ ଅତିଷ୍ଠ । ଲୋକେ ଖାଲି ସମସ୍ୟା ଭୋଗୁନାହାନ୍ତି ଏହି ବିଦ୍ୟୁତ୍ କାଟ ପାଇଁ ବିବାହରେ ବରକନ୍ୟା ମଧ୍ୟ ବଦଳି ଯାଉଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଉଜ୍ଜୟନରେ । ବିଦ୍ୟୁତ୍ କାଟ କାରଣରୁ ଏଠାରେ ବିବାହ ସମୟରେ କନ୍ୟା ବଦଳ ହୋଇଯାଇଛି । ବିଜୁଳି ଆସିବା ପରେ ଘଟଣା ଜଣାପଡିବାରୁ ଭୁଲକୁ ସୁଧାରି ଦିଆ ଯାଇଥିଲା ଓ କନ୍ୟା ସେମାନଙ୍କ ପାଇଁ ସ୍ଥିର ହୋଇଥିବା ବରଙ୍କୁ ବିବାହ କରିଥିଲେ । ତେବେ ବିଦ୍ୟୁତ୍ କାଟ୍ ପାଇଁ ଏପରି କନ୍ୟା ବଦଳ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ଘଟଣା ଉଜ୍ଜୟନ ଜିଲ୍ଲା ଅସଲାନା ଗାଁର । ଏଠାରେ ରମେଶ ଲାଲଙ୍କ ତିନି ଝିଅ ଓ ପୁଅର ଏକା ସାଙ୍ଗରେ ବିବାହ କରୁଥିବା ବେଳେ ବିଦ୍ୟୁତ୍ ଚାଲିଯାଇଥିଲା । ଏହି ସମୟରେ ସେମାନଙ୍କ ମାତୃ ପୂଜନ ପ୍ରଥା ଚାଲିଥିଲା । ଅନ୍ଧାରରେ ଦୁଇ ଜୋଡା ବରକନ୍ୟା ଅଦଳବଦଳ ହୋଇଯାଇଥିଲେ ।

ସୂଚନା ଅନୁସାରେ ରମେଶଙ୍କ ବଡ ଝିଅ କୋମଲର ବିବାହ ଖିରାଖେଡର ରାହୁଲ, ମଝିଆ ଝିଅ ନିକିତାର ବିବାହ ଦଙ୍ଗଓ୍ବାଡାର ଭୋଲା ଏବଂ ସାନ ଝିଅ କରୀଶ୍ମାର ବିବାହ ଦଙ୍ଗଓ୍ବାଡାର ଗଣେଶଙ୍କ ସହ ହେଉଥିଲା । ମେ’ ୬ ତାରିଖରେ ବର ଆସି ପହଞ୍ଚି ଥିଲେ । ବିବାହ ସମୟରେ ମାତୃ ପୂଜନ ଚାଲିଥିବା ବେଳେ ବିଦ୍ୟୁତ ଚାଲି ଯାଇଥିଲା । ସବୁ ବରକନ୍ୟା ଏକା ପ୍ରକାରର ପୋଷାକ ପିନ୍ଧିଥିଲେ ଓ ଝିଅମାନେ ଲମ୍ବା ଓଢଣୀ ପକାଇଥିଲେ । ଅନ୍ଧାର ହୋଇଯିବାରୁ ଭୁଲରେ ନିକିତା ଗଣେଶ ବଦଳରେ କରୀଶ୍ମାଙ୍କ ବର ଭୋଳା ସହ ମାତୃ ପୂଜନ କରି ଦେଇଥିଲା । ରାତି ପ୍ରାୟ ସାଢେ ୧୨ଟାରେ ବିଜୁଳି ଆସିବା ପରେ ସତ ଜଣାପଡିଥିଲା । ଏହାପରେ ପୁଣି ଥରେ ମାତୃପୂଜନ କରାଯାଇଥିଲା । ପରେ ନିକିତା ଭୋଳା ସହ ଏବଂ କରୀଶ୍ମା ଗଣେଶ ସହ ବିବାହ କରିଥିଲେ ।

ଅନ୍ୟପଟେ ଏହି ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି । କଂଗ୍ରେସ ନେତା କେକେ ମିଶ୍ରା ଘଟଣାକୁ ନେଇ ମୁଖ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସରକାରକୁ ଟାର୍ଗେଟ କରିଛନ୍ତି । ସେ ଟ୍ବିଟ କରି ଉଲ୍ଲେଖ କରିଛନ୍ତି, ‘ଉଜ୍ଜୟନର ଗୋଟିଏ ମଣ୍ଡପରେ ୩ଟି ବିବାହ ହେଉଥିବା ବେଳେ ବିଦ୍ୟୁତ ଚାଲିଯିବାରୁ କନ୍ୟା ବଦଳ ହୋଇଗଲା । ଆପଣ କିଛି କରିବେ ?’