ବାହା ହୋଇ ଶାଶୁଘର ଯାଉଥିବା ଯୁବତୀଙ୍କୁ ଗୁଳି ମାରିଲା ପ୍ରେମିକ

ରୋହତକ: ଅନ୍ୟ ସ୍ଥାନରେ ବାହା ହେବାରୁ ଯୁବତୀଙ୍କୁ ଗୁଳି ମାରିଲା ପ୍ରେମିକ । ତାହା ପୁଣି ଯୁବତୀ ବାହା ହୋଇ ଶାଶୁ ଘର ଯାଉଥିବା ବାଟରେ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ପ୍ରେମିକଙ୍କୁ ଖୋଜୁଛି । ଘଟଣାଟି ହରିୟାଣାର ରୋହତକରେ ଘଟିଛି ।

ମିଳିଥିବା ସୂଚନା ଅନୁସାରେ ସମ୍ପଲା ଗାଁର ଯୁବତୀଙ୍କର ଭାଲି ଆନନ୍ଦପୁର ଗାଁର ଯୁବକଙ୍କ ସହ ଧୂମଧାମରେ ବିବାହ ହୋଇଥିଲା । ବିବାହ ଉତ୍ସବ ସରିବା ପରେ ଯୁବତୀ ତାଙ୍କ ପତିଙ୍କ ସହ ଶାଶୁ ଘରକୁ ଆସୁଥିଲେ । କାରରେ ବର, ତାଙ୍କ ଭାଇ ଓ ନବ ବିବାହିତା ଯୁବତୀ ଥିଲେ । ରାତି ପ୍ରାୟ ୧୨ଟାରେ ଶାଶୁଘର ଗାଁ ପାଖ ଶିବ ମନ୍ଦିର ପାଖରେ ତାଙ୍କ କାର ପହଞ୍ଚିବା ପରେ ପଛରୁ ଏକ ଇନୋଭା କାରରେ ୩ ଜଣ ଦୁର୍ବୃତ୍ତ ଆସି ବର ଗାଡ଼ିକୁ ଓଭରଟେକ୍ କରି ଅଟକାଇଥିଲେ । ସେମାନେ ବର ଓ ତାଙ୍କ ଭାଇକୁ ଗାଡ଼ିରୁ ଓହ୍ଲାଇ ଦେଇ ଯୁବତୀଙ୍କ ବେକକୁ ଗୁଳି ମାରିଥିଲେ । ପରେ ବରର ଭାଇ ଗଳାରୁ ସୁନା ଚେନ୍ ଲୁଟି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ପ୍ରେମିକ ଦୁଇ ସାଙ୍ଗଙ୍କ ସହ ମିଶି ସମ୍ପଲା ଗାଁରୁ ବର ଗାଡ଼ିକୁ ଫଲୋ କରୁଥିଲେ । ଯେତେବେଳେ ଗାଡ଼ି ଶାଶୁ ଘର ପାଖରେ ପହଞ୍ଚିଥିଲା । ଅଭିଯୁକ୍ତମାନେ ଯୁବତୀଙ୍କୁ ଗୁଳି ମାରିବା ସହ ଫାଙ୍କା ଗୁଳି ଚାଳନା କରି ଗ୍ରାମବାସୀଙ୍କୁ ଡରାଇ ଫେରାର ହୋଇଯାଇଥିଲେ । ଅଭିଯୁକ୍ତମାନେ ସମ୍ପାଲ ଗାଁର ଜଣେ ଇଟାଭାଟି ମାଲିକଙ୍କୁ ବନ୍ଧୁକ ଦେଖାଇ ଇନୋଭା କାରଟି ଲୁଟ କରିବା ପରେ ସେହି କାରରେ ଆସି ଯୁବତୀଙ୍କୁ ହତ୍ୟା ଉଦ୍ୟମ କରିଥିବା ପୋଲିସ କହିଛି ।

Leave a Reply