ଆଜିଠାରୁ ଜୋହନ୍ସବର୍ଗରେ ବ୍ରିକ୍ସ ସମ୍ମିଳନୀ, ଆସନ୍ତା ୨୪ ଯାଏ ଚାଲିବ ସମ୍ମିଳନୀ

ନୂଆଦିଲ୍ଲୀ: ଆଜିଠାରୁ ସାଉଥ ଆଫ୍ରିକାର ଜୋହନ୍ସବର୍ଗରେ ବ୍ରିକ୍ସ ସମ୍ମିଳନୀ । ଆସନ୍ତା ୨୪ ତାରିଖ ଯାଏ ଚାଲିବାକୁ ଥିବା ଏହି ସମ୍ମିଳନୀରେ ସାମିଲ ହେବେ ବ୍ରାଜିଲ, ଋଷ, ଭାରତ, ଚୀନ ଓ ସାଉଥ ଆଫ୍ରିକାର ନେତୃବୃନ୍ଦ । ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବି ଆଲୋଚନା ହେବା ସମ୍ଭାବନା ରହିଛି । ବୈଠକରେ ଋଷ ପ୍ରତିନିଧି ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠାଇବା ସମ୍ଭାବନା ଥିବାବେଳେ ଏକ ବ୍ରିକ୍ସ ବ୍ୟାଙ୍କ କିମ୍ବା ନ୍ୟୁ ଡେଭଲେପମେଣ୍ଟ ବ୍ୟାଙ୍କ ବା ଏନଡିବି ପ୍ରସଙ୍ଗରେ ହୋଇପାରେ ଆଲୋଚନା ।

୨୦୧୫ରେ ପ୍ରତିଷ୍ଠିତ ଏନଡିବି ବିକଳ୍ପ ମୁଦ୍ରା ପ୍ରଚଳନ ଉପରେ ଗୁରୁତ୍ବ ଦେଇଆସୁଛି । ସମ୍ମିଳନୀର ଶେଷ ଦିନରେ ଯୋଗଦେବା ଲାଗି ଆଫ୍ରିକା, ଲାଟିନ ଆମେରିକା, ଏସିଆର ୬୭ ଜଣ ନେତାଙ୍କୁ ଆମନ୍ତ୍ରିତ କରାଯାଇଛି । ପ୍ରତିବର୍ଷ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷ ପଦ ପରିବର୍ତ୍ତିତ ହେଉଥିବାବେଳେ ପରସ୍ପର ମଧ୍ୟରେ ଅର୍ଥନୈତିକ, ବାଣିଜ୍ୟକ ସମ୍ପର୍କକୁ ମଜଭୁତ କରିବା ଲାଗି ଗୁରୁତ୍ବ ଦିଆଯାଉଛି । ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀରେ ଥିବା ଜନସଂଖ୍ୟା ବିଶ୍ବର ମୋଟ ଜନସଂଖ୍ୟାର ୪୦ ପ୍ରତିଶତ ହୋଇଥିବାରୁ ଏହି ଗୋଷ୍ଠୀର ଗୁରୁତ୍ବ ବୃଦ୍ଧି ପାଉଛି ।