ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ନୋଟ୍ ନେଇ ଭୋଟ୍ ଦେଲେ ରୁଜୁ ହେବ ମାମଲା
1 min read
ନୂଆଦିଲ୍ଲୀ : ନୋଟ୍ ବଦଳରେ ଭୋଟ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଲାଞ୍ଚ ସଂକ୍ରାନ୍ତ ଅପରାଧିକ ମାମଲାରୁ ସାଂସଦ ଓ ବିଧାୟକଙ୍କୁ ସୁରକ୍ଷିତ ରଖିବା ପ୍ରସଙ୍ଗରେ ଆଜି ସିଜେଆଇ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ୭ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି। ନୋଟ୍ ନେଇ ଭୋଟ୍ ଦେଲେ ରୁଜୁ ହେବ ମାମଲା। ସାଂସଦ ଓ ବିଧାୟକଙ୍କ ଉପରେ ହୋଇପାରିବ ମାମଲା। ୧୯୯୮ର ରାୟକୁ ବଦଳାଇଲେ ସର୍ବୋଚ୍ଚ ଅଦାଲତ। ନୋଟ ନେଇ ଭୋଟ୍ କିମ୍ବା ଭାଷଣ ଦେଇପାରିବେନି। ବହୁବାର ସଂସଦରେ ଟଙ୍କା ନେଇ ଭୋଟ ଦେବା ଘଟଣା ଆସିଛି । ପୂର୍ବରୁ ସୁପ୍ରିମକୋର୍ଟଙ୍କ ରୋକ ଯୋଗୁ ମାମଲା ହୋଇ ପାରୁନଥିଲା। ଏବେ ନୋଟ ନେଇ ଭୋଟ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟଙ୍କ ୭ ଜଣିଆ ଖଣ୍ଡପୀଠ। ଅନୁଚ୍ଛେଦ ୧୦୫କୁ ଦର୍ଶାଇ କୋର୍ଟ ଏହି ରାୟ ଶୁଣାଇଛନ୍ତି ।
ସୁପ୍ରିମ କୋର୍ଟ କହିଛନ୍ତି, ଆଇନ ନିର୍ମାତାଙ୍କ ଦ୍ବାରା ଦୁର୍ନୀତି ଓ ଲାଞ୍ଚ ସର୍ବସାଧାରଣ ଜୀବନରେ ନୈତିକତାକୁ ନଷ୍ଟ କରେ। ପି.ଭି. ନରସିହ୍ମା ରାଓ ମାମଲାରେ ଦିଆଯାଇଥିବା ରାୟ ବିପଜ୍ଜନକ ହୋଇଥିବାରୁ ସେହି ରାୟକୁ ରଦ୍ଦ କରାଗଲା। ବେଆଇନ ସ୍ବାର୍ଥ ଲାଗି ଲାଞ୍ଚ ନେବା ଏବଂ ଲାଞ୍ଚ ନେଇ ଭୋଟ ଦେବା ବା ମତ ଦେବା ଗର୍ହିତ ଅପରାଧ ଅଟେ। ନିର୍ଦ୍ଦିଷ୍ଟ ସ୍ବାର୍ଥ ସକାଶେ ଭୋଟ ଦେବା ଲାଗି ଜଣେ ସଦସ୍ୟକୁ ଲାଞ୍ଚ ଜରିଆରେ ପ୍ରଭାବିତ କରାଯାଇଥାଏ। ଲାଞ୍ଚ ନେବା ଦ୍ବାରା ଭାରତୀୟ ଗଣତନ୍ତ୍ରର ଭିତ୍ତି ଧ୍ବଂସ ହୋଇଥାଏ। ସଂସଦୀୟ ବ୍ଯବସ୍ଥାରେ ଲାଞ୍ଚର କୌଣସି ସ୍ଥାନ ନାହିଁ।
୧୯୯୮ର ସୁପ୍ରିମକୋର୍ଟ ରାୟ ଧାରା ୧୦୫ ଓ ୧୯୪ର ପରିପନ୍ଥୀ। ଲାଞ୍ଚ ପରି ଅପରାଧରୁ ମୁକ୍ତି ଚାହିଁବା ବ୍ଯବସ୍ଥାପକ କାର୍ଯ୍ୟାବଳୀର ମହତ୍ତ୍ବକୁ ନଷ୍ଟ କରିଥାଏ। ରାଜ୍ୟସଭା ନିର୍ବାଚନରେ ଭୋଟ ଦେବା ଲାଗି ଜଣେ ବିଧାୟକ ଲାଞ୍ଚ ନେବା ଦୁର୍ନୀତି ନିବାରଣ ଆଇନ ପରିସରଭୁକ୍ତ ବୋଲି କହିଛନ୍ତି ସୁପ୍ରିମକୋର୍ଟ।
ବହୁଚର୍ଚ୍ଚିତ ଜେଏମଏମ ଲାଞ୍ଚ ମାମଲାରେ କୌଣସି ବିବୃତି ବା ଭୋଟ ନେଇ ସାଂସଦ ଓ ବିଧାୟକଙ୍କ ବିରୋଧରେ ମାମଲା ଦାୟରରୁ ସାଂସଦ ଓ ବିଧାୟକଙ୍କୁ ମୁକ୍ତ ରଖିବା ଲାଗି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ରାୟ ଦେଇଥିଲେ । ଏହି ମାମଲାର ପୁନଃଶୁଣାଣି କରିଛନ୍ତି ସୁପ୍ରିମକୋର୍ଟଙ୍କ ୭ ଜଣିଆ ଖଣ୍ଡପୀଠ । ଦୀର୍ଘ ୨୫ ବର୍ଷ ପରେ ଏହି ମାମଲା ପୁଣି ପଦାକୁ ଆସିଛି ।
ମାମଲାର ପୁନଃବିଚାର ଲାଗି ଗତ ୨୦୨୩ ସେପ୍ଟେମ୍ବର ୨୦ରେ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ । ପିଭି ନରସିଂହ୍ମା ରାଓ ବନାମ ସିବିଆଇ ମାମଲାରେ ସୁପ୍ରିମକୋର୍ଟ କହିଥିଲେ- ସମ୍ବିଧାନର ଧାରା ୧୦୫(୨), ୧୯୪(୨) ଅନୁସାରେ ଗୃହ ଭିତରେ କୌଣସି ବିଧାୟକ ଓ ସାଂସଦଙ୍କ ମତ ଓ ଭୋଟ କ୍ଷେତ୍ରରେ ସେମାନଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇପାରିବ ନାହିଁ ।
୧୯୯୩ରେ ନରସିଂହ୍ମା ରାଓ ସରକାରଙ୍କୁ ଅନାସ୍ଥା ଭୋଟରୁ ବଞ୍ଚାଇବା ଲାଗି ଜେଏମଏମ ନେତା ଶିବୁ ସୋରେନଙ୍କ ସମେତ 5 ସାଂସଦ ଲାଞ୍ଚନେବା ଅଭିଯୋଗ ହୋଇଥିଲା । ଜେଏମଏମର ସମର୍ଥନ ଯୋଗୁ ରାଓ ସରକାର ବଞ୍ଚିଯାଇଥିଲା । ସେମାନଙ୍କ ବିରୋଧରେ ସିବିଆଇ ମାମଲା ଦାୟର କରିଥିଲେ ବି ଧାରା ୧୦୫(୨)କୁ ଆଧାର କରି ଏହି ମାମଲାକ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ ।