ଡାଉନ ହେଲା Gmail ସର୍ଭର, Email ପଠାଇବାରେ ଦେଖା ଦେଉଛି ସମସ୍ୟା

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଜିମେଲ ବ୍ୟବହାର କରୁଛନ୍ତି, ତେବେ ଏହି ସୂଚନାଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ଏହାକୁ ନେଇ ବର୍ତ୍ତମାନ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ପ୍ରତ୍ୟେକଟି ବ୍ୟବହାରକାରୀ ଜାଣିବା ଉଚିତ୍ । ବାସ୍ତବରେ ଭାରତରେ ଜିମେଲ ସର୍ଭର ଡାଉନ ହୋଇଥିବା ଦେଖିବାକୁ ମିଳିଛି । ଗୁରୁବାର ସକାଳ ଠାରୁ ବ୍ୟବହାରକାରୀଙ୍କୁ ଜିମେଲରୁ  ଫାଇଲ ଆଟାଚମେଣ୍ଟ କରିବାରେ ସମସ୍ୟା ଦେଖା ଦେଉଛି । କେବଳ ସେତିକି ନୁହେଁ ଜିମେଲ ସହିତ ସମ୍ପୃକ୍ତ ଅନ୍ୟ କେତେକ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି । ଗୁଗଲ ଡ୍ରାଇଭକୁ ନେଇ ମଧ୍ୟ ବ୍ୟବହାରକାରୀ ସୋସିଆଲ ମିଡିଆରେ ଅଭିଯୋଗ କରୁଛନ୍ତି । ଏହା ବ୍ୟତୀତ ୟୁଟ୍ୟୁବରେ ମଧ୍ୟ ଭିଡ଼ିଓ ଅପଲୋଡ କରିବା ସମୟରେ ସମସ୍ୟା ଦେଖାଯାଉଛି ।


ଏହାକୁ ନେଇ କମ୍ପାନୀ ମଧ୍ୟ ସତ୍ୟାସତ୍ୟ ସାମ୍ନାକୁ ଆଣିଛି । କମ୍ପାନୀର କହିବା ଅନୁସାରେ କିଛି ବ୍ୟବହାରକାରୀଙ୍କ ପାଇଁ ଜିମେଲ ଡାଉନ ଅଛି । ତେବେ ଜିମେଲ ବ୍ୟବହାରକାରୀଙ୍କ ସଂଖ୍ୟା ବଢିଯିବାରୁ ଏଭଳି ସମସ୍ୟା ଦେଖା ଦେଇଥିବା କୁହାଯାଉଛି । କେବଳ ଭାରତ ନୁହେଁ ବରଂ ଅନ୍ୟ କେତେକ ଦେଶରେ ମଧ୍ୟ ଏହି ସମସ୍ୟା ଦେଖା ଦେଇଛି । ଅବଶ୍ୟ ଏହି ସମସ୍ୟାକୁ ସମାଧାନ କରିବା ପାଇଁ କମ୍ପାନୀ ଚେଷ୍ଟା କରୁଛି ।

ଇଣ୍ଟରନେଟ ଉପରେ ନଜର ରଖୁଥିବା ଡାଉନ ଡିଟେକ୍ଟର ଓ୍ୱେବସାଇଟର ସୂଚନା ମୁତାବକ ୨୦ ଅଗଷ୍ଟ ସକାଳ ୯ଟା ପରଠାରୁ ଏହି ସମସ୍ୟା ଦେଖାଦେବା ଆରମ୍ଭ ହୋଇଛି । ୬୨ ପ୍ରତିଶତ ସମସ୍ୟା ଫାଇଲ ଆଟାଚମେଣ୍ଟ,୨୭ ପ୍ରତିଶତ ଲଗ ଇନ ଏବଂ ୧୦ ପ୍ରତିଶତ ମେସେଜ ରିସିଭି ହେଉ ନଥିବା କୁହାଯାଉଛି । ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଏହି ସମସ୍ୟା ଦେଖାଦେଇଛି । ଗତ ମାସରେ ମଧ୍ୟ ଏହିଭଳି ସମସ୍ୟା ଦେଖିବାକୁ ମିଳିଥିଲା । କେତେକ ବ୍ୟବହାରକାରୀ ଲଗ ଇନ କରିପାରୁନଥିବା ଅଭିଯୋଗ ଆଣିଥିଲେ ।

Leave a Reply