ବ୍ରାଜିଲ ସେନାମୁଖ୍ୟଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି ଲୁଲା

ବ୍ରାସିଲିଆ: ବ୍ରାଜିଲ ସେନାମୁଖ୍ୟଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି ଲୁଇ ଇନାସିଓ ଲୁଲା ଡି ସିଲଭା । ଦୁଇ ସପ୍ତାହ ତଳେ ବ୍ରାସିଲିଆରେ ଘଟିଥିବା ହିଂସା ଘଟଣାରେ ସେନାମୁଖ୍ୟ ଜୁଲିଓ ସେସାର ଆରୁଦ୍ଦାଙ୍କୁ ବହିଷ୍କାର କରିଛନ୍ତି ଲୁଲା । ଆର୍ଜେଣ୍ଟିନା ଗସ୍ତ ପୂର୍ବରୁ ସେ ଏହି ପଦକ୍ଷେପ ନେଇଛନ୍ତି । ଗତ ଡିସେମ୍ବର ୩୦ରେ ଆରୁଦ୍ଦା ଦାୟିତ୍ବ ନେଇଥିଲେ ।

ଗତ ଜାନୁଆରୀ ୮ ତାରିଖରେ ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ୩ ହଜାରରୁ ଅଧିକ ସମର୍ଥକ ରାଷ୍ଟ୍ରପତି ଭବନ ଓ ସୁପ୍ରିମକୋର୍ଟରେ ଧସେଇ ପଶିବା ସହ ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ କେତେକ ନିରାପତ୍ତା ଯବାନ ସାମିଲ ଥିଲେ ବୋଲି ଅଭିଯୋଗ ହୋଇଥିଲା । ଗତକାଲି ରାଷ୍ଟ୍ରପତି ଲୁଲାଙ୍କ ସହ ଆଲୋଚନା ପରେ ଏନେଇ ଘୋଷଣା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ଜୋସ୍ ମୁସିଓ । ଗତବର୍ଷ ଅକ୍ଟୋବର ନିର୍ବାଚନରେ ବୋଲସୋନାରୋଙ୍କୁ ପରାସ୍ତ କରି ଲୁଲା ବିଜୟୀ ହେବା ପରଠାରୁ ଦେଶରେ ବିକ୍ଷୋଭ ଆନ୍ଦୋଳନ ଜାରି ରହିଥିଲା । ଗତ ଜାନୁଆରୀ ୧ ତାରିଖରେ ଦେଶର ୩୯ ତମ ରାଷ୍ଟ୍ରପତି ଭାବେ ତୃତୀୟ ଥର ଲାଗି ଦାୟିତ୍ବ ନେଇଥିଲେ ଲୁଲା ।

ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ପରାଜିତ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ ସମର୍ଥକମାନେ ୨୦୨୧ ଜାନୁଆରୀ ୬ରେ ଯେପରି ଭାବେ ଓ୍ବାଶିଂଟନସ୍ଥିତ କାପିଟଲ ବିଲଡିଂ ଆକ୍ରମଣ କରିଥିଲେ ଠିକ୍ ସେପରି ସ୍ଥିତି ଦେଖା ଦେଇଥିଲା ବ୍ରାଜିଲ କ୍ୟାପିଟାଲରେ ।