ରକ୍ତ ଜୁଡୁବୁଡୁ ହୋଇଯାଇଥିଲା ପାଦ, ଡ୍ୟୁଟି ଅଧାରୁ ଦୌଡ଼ି ଆସିଲେ ଟ୍ରାଫିକ ବାବୁମାନେ

ଭଦ୍ରକ: ପାଦରେ ପଶିଛି ଲୁହା କଣ୍ଟା, ଚାଲିବାକୁ ଗୋଡ଼ରେ ନାହିଁ ସମ୍ବଳ । ଆଉ ଘୁଷୁଡ଼ି ଘୁଷୁଡ଼ି ଯିବାଟା ଥିଲା ସାର । ଜଣେ ଭିନ୍ନକ୍ଷମ ବ୍ୟକ୍ତିର ଏମିତି ଅବସ୍ଥା ଦେଖି ରାସ୍ତାରେ ସମସ୍ତେ ନିଜ ନିଜର ବାଟ କାଟି ଚାଲିଯାଉଥିଲେ । ଏମିତି ଅବସ୍ଥାରେ ବିକଳ ହୋଇ ଡ୍ୟୁଟି ଅଧାରୁ ଦୌଡ଼ି ଆସିଲେ ଟ୍ରାଫିକ ବାବୁମାନେ । ଆଉ ସେହି ଭିନ୍ନକ୍ଷମ ଲୋକଟିର ଏମିତି ଅବସ୍ଥାକୁ ଦେଖି ସହିପାରିଲେନି ।

ଘଟଣାଟି ଦେଖିବାକୁ ମିଳିଛି ଭଦ୍ରକ ଅଞ୍ଚଳରେ । ଯେଉଁଠି ଟ୍ରାଫିକ ପୋଲିସଙ୍କ ମାନବିକତା ପାଇଁ ତାଙ୍କୁ ଦିଆଯାଉଛି ସାବାସୀ । ଜନଗହଳି ପୂର୍ଣ୍ଣ ବନ୍ତ ଛକ ନିକଟରେ ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଗୋଡ଼ରେ ଏକ ଲୁହା କଣ୍ଟା ପଶିଯାଇଥିଲା । ଏବଂ ସେ କଷ୍ଟ ଅନୁଭବ କରି ମଧ୍ୟାହ୍ନ ସମୟରେ ଭଦ୍ରକ ବନ୍ତଛକ ପୋଲ ତଳେ ଗୁରୁଣ୍ଡି ଗୁରୁଣ୍ଡି  ଆସୁଥିବା ବେଳେ ତାଙ୍କ ପାଦ ରକ୍ତ ଜୁଡୁବୁଡୁ ହୋଇଯାଇଥିଲା । କିନ୍ତୁ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ସମସ୍ତଙ୍କ ନଜର ଉକ୍ତ ବ୍ୟକ୍ତିଙ୍କ ଉପରେ ପଡୁଥିଲେ ମଧ୍ୟ ସମସ୍ତେ ଦେଖି ନିଜ ନିଜ ବାଟରେ ଚାଲିଯାଉଥିଲେ । କିନ୍ତୁ ଠିକ୍ ସେହି ସମୟରେ ଦଇବ ସାଜି ଭଦ୍ରକ ଟ୍ରାଫିକ ପୋଲିସମାନେ ଭିନ୍ନକ୍ଷମ ବ୍ୟକ୍ତି ପାଖରେ ପହଞ୍ଚିଥିଲେ । ଏବଂ ସେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଗୋଡ଼ରୁ ଲୁହା କଣ୍ଟା ଟିକୁ କାଢିଥିଲେ । ଯାହାଫଳରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଭିନ୍ନକ୍ଷମ ଲୋକଟି କଷ୍ଟର ଉପଶମ ପାଇଥିଲା । ଟ୍ରାଫିକ ପୋଲିସଙ୍କ ଏଭଳି ମାନବିକତାକୁ ସମସ୍ତେ ପ୍ରଶଂସା କରିଛନ୍ତି ।

Leave a Reply