ବ୍ରଜରାଜନଗର ବିଜୟ ପାଇଁ ସବୁ ଦଳର କସରତ, ସ୍ୱତନ୍ତ୍ର ରଣନୀତି କରିଛି ବିଜେଡି

ବ୍ରଜରାଜନଗର: ଉପନିର୍ବାଚନ ପାଇଁ ସରଗରମ ହୋଇଛି ବ୍ରଜରାଜନଗର ରାଜେନୈତିକ ମାହୋଲ । ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ଏହାପରେ ପ୍ରଚାରରେ ଉଠିବ ପଡ଼ିବ ମଇଦାନ । ବିଜୟ ମୁକୁଟ ହାତେଇବାକୁ ତିନି ପ୍ରମୁଖ ଦଳ ଚଳାଇଛନ୍ତି ଜୋରଦାର କସରତ । ବିପୁଳ ପରିମାଣରେ ବିଜୟ ପାଇଁ ବିଜେଡି କରିଛି ସ୍ବତନ୍ତ୍ର ରଣନୀତି । ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ କରି ସଂଗଠନକୁ ଆହୁରି ମଜବୁତ କରାଯାଉଛି । ଗତକାଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବେଲପାହାଡରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଝାସୁଗୁଡା ପର୍ଯ୍ୟବେକ୍ଷକ ସୁବାସ ସିଂ, ଜିଲ୍ଲା ସହ ପର୍ଯ୍ୟବେକ୍ଷକ ବିଷ୍ଣୁପ୍ରସାଦ କେଡ଼ିଆ ପ୍ରମୁଖ ଯୋଗଦେଇ ପଞ୍ଚାୟତ ପ୍ରତିନିଧି ଓ କର୍ମୀଙ୍କ ସହିତ ଆଲୋଚନା କରିଥିଲେ ।

ଏହି କର୍ମୀ ସମ୍ମିଳନୀରେ ସମସ୍ତେ ଏକଜୁଟ ହୋଇ ଦଳୀୟ ପ୍ରାର୍ଥିନୀଙ୍କୁ ବିଜୟୀ କରିବାକୁ ଆହ୍ବାନ ଦେଇଛନ୍ତି ନବ ଦାସ । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ଓ ବିକାଶ ପାଇଁ ପୁଣି ଥରେ ବ୍ରଜରାଜନଗରବାସୀ ଦଳକୁ ବିଜୟୀ କରାଇବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ସେପଟେ କଂଗ୍ରେସ ଓ ବିଜେପି ମଧ୍ୟ ପ୍ରସ୍ତୁତ କରୁଛନ୍ତି ରଣନୀତି । ପ୍ରଚାର ପାଇଁ ଉଭୟ ଦଳ ପଡ଼ୋଶୀ ନେତାଙ୍କ ଉପରେ ଭରଷା କରିଛନ୍ତି । ତେବେ ଏହା ତାଙ୍କ ପାଇଁ ବୁମେରାଂ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।