୩୧ରେ ବ୍ରଜରାଜନଗର ଭୋଟ; ୨.୧୪ ଲକ୍ଷ ଭୋଟର, ୨୭୯ ବୁଥ୍

ବ୍ରଜରାଜନଗର: ବ୍ରଜରାଜନଗର ପାଇଁ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି । ମୈଦାନରେ ୧୧ ଜଣ ପ୍ରାର୍ଥୀ ଥିବାବେଳେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ମତଦାନ କରିବେ । ଭୋଟିଂ ପାଇଁ ଆବଶ୍ୟକ ଇଭିଏମ୍ ବ୍ୟବସ୍ଥା କରାଯାଇଛି ବୋଲି ପ୍ରେସମିଟ କରି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ମୋଟ୍ ୨୭୯ ବୁଥରେ ମତଦାନ ହେବ । ଏଥିରେ ୫ଟି ପିଙ୍କ୍ ବୁଥ ରହିଛି । ୫୨୫ ଜଣ ଭୋଟର ଘରୁ ଭୋଟ୍ ଦେବା ପାଇଁ ଆବେଦନ କରିଥିଲେ । ସେଥିରୁ ୩୨୫ ଜଣଙ୍କୁ ଅନୁମତି ମିଳିଥିବାବେଳେ ଆଜିଠାରୁ ମତଦାନ ସଂଗ୍ରହ କରାଯାଉଛି ।

ସେହିପରି ୫୦ ପ୍ରତିଶତ ବୁଥରେ ହେବ ଓ୍ବେବକାଷ୍ଟିଂ । ଆବଶ୍ୟକ ପଡ଼ିଲେ ଭିଡିଓଗ୍ରାଫି କରାଯିବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସବୁ ସୁବିଧା କରାଯାଇଛି । ବୁଥରେ ଡମି ଭୋଟର ରହି ଦିବ୍ୟାଙ୍ଗ ଭୋଟରଙ୍କୁ ସହାୟତା କରିବେ । ଭୋଟ ଦିନ ନିର୍ବାଚନମଣ୍ଡଳୀ ସମସ୍ତ ଘରୋଇ ଓ ସରକାରୀ କର୍ମଚାରୀଙ୍କ ପାଇଁ ସବୈତନିକ ଛୁଟି ଘୋଷଣା କରାଯାଇଛି । ସମ୍ବେଦନଶୀଳ ବୁଥ୍ ପାଇଁ ୬୧ ଜଣ ମାଇକ୍ରୋ ଅବଜର୍ଭର ରହିବେ ।