ପାଉଁଶ ହୋଇଗଲା ଆଇଏଏସ୍ ହେବାର ସ୍ବପ୍ନ, ଆତ୍ମହତ୍ୟା କଲେ ମେଧାବୀ ଛାତ୍ରୀ

ବ୍ରହ୍ମପୁର: ନିଆଁରେ ଜଳି ପୋଡି ପାଉଁଶ ହୋଇଗଲା ଆଇଏଏସ ହେବାର ସ୍ବପ୍ନ । ବାପା ଓ ସାବତ ମାଆର ନିର୍ଯାତନା ସହି ନପାରି ଆତ୍ମହୂତି ଦେଲେ ମେଧାବୀ ଛାତ୍ରୀ ରାଣୀ । ବ୍ରହ୍ମପୁର ସଦର ଥାନା କୁକୁଡାଖଣ୍ଡି ଅଞ୍ଚଳରେ ଘଟିଥିବା ଏହି ଘଟଣା ସମସ୍ତଙ୍କ ହୃଦୟକୁ ଆନ୍ଦୋଳିତ କରିଛି । ଚିକିତ୍ସିତ ଅବସ୍ଥାରେ ଆଜି ସକାଳେ ରାଣୀଙ୍କ ମୃତ୍ୟୁ ଘଟିଛି । ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ବାପାକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବ୍ରହ୍ମପୁର ଏସପି କହିଛନ୍ତି ।

ନାଁ ଥିଲା ରାଣୀ । ହେଲେ ବାପା ଓ ସାବତ ମାଆଙ୍କ ପାଖରେ ବିଜାଉ ଥିଲେ ବନ୍ଦୀ ଜୀବନ । ମାଆ ଆରପାରିକୁ ଯିବା ଦିନଠାରୁ ସେ ମଦ୍ୟପ ବାପା ଓ ସାବତ ମାଆଙ୍କ ନିର୍ଯାତନାର ଶିକାର ହୋଇ ଆସୁଥିବା ମୃତ୍ୟୁ ପୂର୍ବରୁ ଅଭିଯୋଗ କହିଛନ୍ତି । ଏପରିକି ସେ ଅନେକ ଥର ଘରୁ ତଡା ଖାଇଛନ୍ତି । ଶେଷରେ ମେଧାବୀ ଛାତ୍ରୀ ଜଣକ ଆଇଏଏସ ହେବା ସ୍ବପ୍ନକୁ ଜଳାଞ୍ଜଳି ଦେଇ ନିଆଁରେ ଆହୂତି ଦେଇଛନ୍ତି ।

ମାଟ୍ରିକରେ ୭୮ ପ୍ରତିଶତ ମାର୍କ ରଖି ପାସ ହୋଇଥିଲେ ରାଣୀ । ଯୁକ୍ତଦୁଇରେ ମଧ୍ୟ ସମାନ ପ୍ରତିଶତ ମାର୍କ ରଖି ପାସ ହୋଇ ବ୍ରହ୍ମପୁରରେ ଯୁକ୍ତତିନି ବିଜ୍ଞାନରେ ପଢୁଥିଲେ । ସେ ଶେଷ ବର୍ଷର ଛାତ୍ରୀ ଥିଲେ । ଶିକ୍ଷାରେ ସଫଳ ଥିବା ରାଣୀ କିନ୍ତୁ ଜୀବନ ଯୁଦ୍ଧରେ ବିଫଳ ହୋଇଯାଇଥିଲେ । ପିଲାଟି ଦିନରୁ ମାଆକୁ ହରାଇ ଥିବା ରାଣୀ, ବାପା ଅଶୋକ ପ୍ରଧାନ ଏବଂ ସାବତ ମାଆ ଜ୍ୟୋସ୍ନାଙ୍କ ନିକଟରେ ରହୁଥିଲେ । ହେଲେ ବାପା ପ୍ରତିଦିନ ମଦ୍ୟପାନ କରି ତାଙ୍କୁ ମାର ପିଟ କରିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ସାବତ ମାଆ ମଧ୍ୟ ତାଙ୍କୁ ନିର୍ଯାତନା ଦେଉଥିବା କହିଥିଲେ ରାଣୀ ।

ଗତକାଲି ଘରେ ମାଆ ନଥିବା ବେଳେ ବାପାଙ୍କ ସହ ଝିଅର ଝଗଡା ହୋଇଥିଲା । ପରେ ଝିଅ ରାଗି ଯାଇ ବାପାଙ୍କୁ ଟଙ୍କା ମାଗିଥିଲା । ସେହି ଟଙ୍କାରେ ନିକଟସ୍ଥ ଦୋକାନରୁ ପେଟ୍ରୋଲ କିଣି ଥିଲେ ରାଣୀ । ଏହି ପେଟ୍ରୋଲ ଢାଳି ହୋଇ କୁକୁଡ଼ାଖଣ୍ଡି ବ୍ଲକ କାର୍ଯ୍ୟାଳୟ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ହୁତୁହୁତୁ ହୋଇ ଜଳିବା ସମୟରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ସେପଟେ ରାଣୀଙ୍କୁ ଉଦ୍ଧାର କରିଥିବା ଯୁବକ ବି ଆଣିଛନ୍ତି ସାଂଘାତିକ ଅଭିଯୋଗ । ବାପା ତାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ ବୋଲି ଯୁବକଙ୍କୁ ରାଣୀ କହିଛନ୍ତି । ଏପରିକି ଗୁରୁତର ଅବସ୍ଥାରେ ମେଡିକାଲ ନେବା ବେଳେ ବାପାଙ୍କୁ ନିକଟକୁ ଆସିବାକୁ ମନା କରିଥିଲେ ରାଣୀ । ଏମକେସିଜିରେ ଡାକ୍ତର ଉଚ୍ଚତର ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲକୁ ରେଫର କରିଥିବା ବେଳେ ବାପା ଅଶୋକ ନେବା ପାଇଁ ମନା କରିଥିବା ଯୁବକ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ବାପା ଅଶୋକ ପ୍ରଧାନଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଥିବା ବ୍ରହ୍ମପୁର ଏସପି କହିଛନ୍ତି ।