ଦ୍ୱିତୀୟ ଦିନରେ ସାତପଡ଼ା ଓ ଜହ୍ନିକୁଦ ମଧ୍ୟରେ ଜଳଯାତ୍ରା ବନ୍ଦ

ବ୍ରହ୍ମଗିରି: ଚିଲିକାରେ ଦ୍ୱିତୀୟ ଦିନରେ ସାତପଡ଼ା ଓ ଜହ୍ନିକୁଦ ମଧ୍ୟରେ ଜଳଯାତ୍ରା ବନ୍ଦ ରହିଛି । ୩୫ ମୌଜବାସୀ ମେଳି କରିଛନ୍ତି । କାଲିଠାରୁ ଚିଲିକାର ସାତପଡ଼ା ଓ ଜହ୍ନିକୁଦ ମଧ୍ୟରେ ଡଙ୍ଗା ଓ ଭସପୋଲ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଛି କୃଷ୍ଣପ୍ରସାଦ ୩୫ ମୌଜା । ଆଜି କୃଷ୍ଣପ୍ରସାଦ ଅଞ୍ଚଳବାସୀ ଜହ୍ନିକୁଦାରେ ମେଳି ବାନ୍ଧିଛନ୍ତି । ପ୍ରଶାସନ ବିବାଦର ସମାଧାନ ନକଲେ ପ୍ରଶାସନକୁ ଅଚଳ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ସୂଚନା ଅନୁସାରେ କିଛିଦିନ ଧରି ପାରିକୁଦ ଆଳୁପାଟଣା ଓ ତିତିପ ଗାଁ ମଧ୍ୟରେ ବିବାଦ ଲାଗି ରହିଛି । କୃଷ୍ଣପ୍ରସାଦର କୌଣସି ଲୋକ ଚିଲିକା ପାର ହେଲେ ସାତପଡ଼ାରେ ଆଳୁପାଟଣା ଲୋକ ମାଡ଼ ମାରିବେ ବୋଲି ଧମକ ଦେଇଛନ୍ତି । ଏ ସମ୍ପର୍କରେ ପ୍ରଶାସନକୁ ଜଣାଇଲେ ମଧ୍ୟ ତାହାର ସମାଧାନ ହୋଇନାହିଁ । ୨ ଦିନ ତଳେ ୩୫ ମୌଜର ସମ୍ପାଦକଙ୍କୁ ଆଳୁପଟଣାର କିଛି ଲୋକ ମାରଧର କରିବା ପରେ ପରିସ୍ଥିତି ଭୟଙ୍କର ହୋଇଛି । ସେଥିପାଇଁ ଡଙ୍ଗା ଚଳାଚଳ ବନ୍ଦ ରହିଛି । ବିବାଦର ସମାଧାନ ନକଲେ ପ୍ରଶାସନକୁ ଅଚଳ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।