ପଞ୍ଚାୟତ ସମିତି ବୈଠକରେ ହୋହଲ୍ଲା ଓ ନାରାବାଜି

ବ୍ରହ୍ମଗିରି : ପଞ୍ଚାୟତ ସମିତି ବୈଠକରେ ହୋହଲ୍ଲା ଓ ନାରାବାଜି । ଚାଲି ପାରିଲାନି ଗୃହ । ଦୀର୍ଘ ଦୁଇ ବର୍ଷ ପରେ ଆଜି ପୁରୀ ଜିଲ୍ଲାର ବ୍ରହ୍ମଗିରି ପଞ୍ଚାୟତ ସମିତି ବୈଠକ ଡକା ଯାଇଥିଲା । ବୈଠକରେ ବ୍ରହ୍ମଗିରି ପଞ୍ଚାୟତ ସମିତିର ୨୫ଟି ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟଙ୍କ ସହ ବ୍ରହ୍ମଗିରି ବିଧାୟିକା ଓ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ସମେତ ବ୍ରହ୍ମଗିରି ବିଡିଓ ଉପସ୍ଥିତ ଥିଲେ । ଦିନ ୧୧ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାକାର୍ଯ୍ୟ ଆରମ୍ଭରୁ ବିଜେପି ଓ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ମାନେ ନିଜ ନିଜ ଭିତରେ ପାଟିତୁଣ୍ଡ ହୋହାଲ୍ଲା କରିବା ସହ ଟେବୁଲ୍   ବାଡେଇ  ଠେଲାପେଲା ହୋଇଥିଲେ । ପ୍ରଥମେ ବିଧାୟିକା ଓ ବିଜେଡି ସରପଞ୍ଚ ପରେ ସମିତି ଅଧ୍ୟକ୍ଷା ଓ ବିଧାୟିକାଙ୍କ ମଧ୍ୟରେ ଆକ୍ଷେପ ଓ ପ୍ରତି ଆକ୍ଷେପ ହେବା ଦେଖିବାକୁ ମିଳିଥିଲା । ଦିନ ତମାମ କୌଣସି ଆଲୋଚନା ହୋଇ ପରିନଥିଲା । ଗତ ୨୦ ତାରିଖରେ ବିଧାୟିକା ବ୍ରହ୍ମଗିରି ବ୍ଲକ ସମୀକ୍ଷା କରିବାକୁ ଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ନିର୍ବାଚିତ ପ୍ରତିନିଧିମାନେ ଧାରଣା ଦେଇଥିଲେ ।