ଘରକୁ ଆସିଲେ ଏକାଠି ଖାଇଲେ, କେହି ନଥିବା ବେଳେ ଝୁଲି ପଡିଲେ ପ୍ରେମିକ

ସୋନପୁର: ବିବାହିତ ମହିଳାଙ୍କ ସହ ଅବୈଧ ପ୍ରେମ ସମ୍ପର୍କ ନେଇଗଲା ଜୀବନ । ଯୁବକ ହାରିଲେ ଜୀବନ । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଚି଼ଙ୍ଗିରିକଣ୍ଟା ଗାଁର ଏହି ଘଟଣା ଏବେ ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗାଁର ଚିନ୍ମୟ କୁମ୍ଭାରଙ୍କ ମୃତଦେହ ହୀରାକୁଦ ଟାଙ୍କିପଡ଼ାରୁ ଉଦ୍ଧାର ହୋଇଛି । ଗତ ୨୯ ତାରିଖ ଚିନ୍ମୟ ନିଜ ପିଉସୀଙ୍କ ଘର ବରଗଡ଼ ଯିବାକୁ କହି ଘରୁ ଆସିଥିଲେ ।

ହେଲେ ସେଠାକୁ ସେ ନଯାଇ ହୀରାକୁଦ ଟାଙ୍କିପଡ଼ାରେ ଥିବା ମହିଳାଙ୍କ ଘର ତଥା ରାଜେଶ ପେରାଙ୍କ ଘରେ ପହଞ୍ଚିଥିଲେ । ଗତକାଲି ଚିନ୍ମୟଙ୍କ ମୃତଦେହ ରାଜେଶଙ୍କ ଘରୁ ଉଦ୍ଧାର ହୋଇଥିଲା । ସେ ଆତ୍ମହତ୍ୟା କରିଥିବା ନେଇ ମହିଳାଙ୍କ ସ୍ବାମୀ ରାଜେଶ କହିଛନ୍ତି । ସେପଟେ ଚିନ୍ମୟଙ୍କ ପରିବାର ହୀରକୁଦରେ ପହଞ୍ଚି ପୁଅକୁ ହତ୍ୟା କରା ଯାଇଥିବା ଅଭିଯୋଗ ଆଣିଛନ୍ତି । ଏନେଇ ହୀରାକୁଦ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ମୃତ ଚିନ୍ମୟ ଦୀର୍ଘ ଦିନ ହେବ ଵିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରିବା ସହିତ ତାଙ୍କୁ ବିବାହ କରିବା ପାଇଁ ବାଧ୍ୟ କରୁଥିଲେ । ତେବେ ଗତ ୨୯ ତାରିଖ ଦିନ ଚିନ୍ମୟ ମହିଳାଙ୍କ ଘରେ ଆସି ପହଞ୍ଚିଥିଲେ । ତାଙ୍କୁ ଘରକୁ ଆସିବାକୁ ଅନୁମତି ଦେଇ ମହିଳା ଜଣକ ଖାଇବାକୁ ଦେଇଥିବା ମଧ୍ୟ ସେ ସ୍ବୀକାର କରିଛନ୍ତି । ହେଲେ ଚିନ୍ମୟ ଆତ୍ମହତ୍ୟା କରିଛନ୍ତି ବୋଲି ମହିଳା ସୂଚନା ଦେଇଛନ୍ତି ।