ଜରାଜୀର୍ଣ୍ଣ ଅବସ୍ଥାରେ ବୌଦ୍ଧ କୀର୍ତ୍ତିରାଜି

ଚଣ୍ଡିଖୋଲ : ବୌଦ୍ଧ କୀର୍ତ୍ତିରାଜି ବହନ କରୁଥିବା ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଲାଙ୍ଗୁଡ଼ି ପାହାଡ଼ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଏଠାରୁ ଉଦ୍ଧାର ହୋଇଥିବା ବୌଦ୍ଧ କୀର୍ତ୍ତିରାଜି ଗୁଡିକର ରକ୍ଷଣାବେକ୍ଷଣ ଅଭାବ ରୁ ତାହା ଜରାଜୀର୍ଣ ଅବସ୍ଥାରେ ରହିଛି । ଅନ୍ୟପଟେ ଜରାଜୀର୍ଣ ଅବସ୍ଥାରେ ରହିଥିବା ପାନ୍ଥଶାଳାର ପୁନଃରୁଦ୍ଧାର କାର୍ଯ୍ୟ ଏବେ ଓଟିଡିସି ପକ୍ଷରୁ କରାଯାଉଛି ।

ଜରାଜୀର୍ଣ୍ଣ ଅବସ୍ଥାରେ ବୌଦ୍ଧ କୀର୍ତ୍ତିରାଜି । ସୁରକ୍ଷା ଓ ସଂରକ୍ଷଣ ପାଇଁ ନାହିଁ ପ୍ରତ୍ନତତ୍ତ୍ବ ବିଭାଗର ନିଘା । ମାଟିରେ ମିଶିବାକୁ ବସିଛି ଦୁଇ ହଜାର ବର୍ଷର ଇତିହାସ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଲାଙ୍ଗୁଡ଼ି ପାହାଡ଼ ପୂରାତନ ଇତିହାସକୁ ବଖାଣୁଛି । କେନ୍ଦ୍ର ସରକାରଙ୍କ ପତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଓ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଲାଙ୍ଗୁଡ଼ି ପାହାଡ଼ ଖନନ କରାଯାଇ ବହୁ ବୌଦ୍ଧ କୀର୍ତ୍ତିରାଜି ଉଦ୍ଧାର କରାଯାଇ ଥିଲା ।  ଏଠାରୁ ବୁଦ୍ଧ ଦେବଙ୍କ ମୂର୍ତ୍ତି, ଇଟା ସ୍ତୁପ, ପଞ୍ଚଯାନୀ ବୁଦ୍ଧ,ଅର୍ଘ୍ୟ ସ୍ତୁପ ଓ ବହୁ ପ୍ରାଚୀନ ବୁଦ୍ଧ ମୂର୍ତ୍ତି ଗୁଡିକ ଉଦ୍ଧାର କରାଯାଇଥିଲା ।

ଏହି ପାହାଡ଼କୁ ପୁଷ୍ପଗିରି ବିହାର ନାମରେ ନାମିତ କରାଯାଇଛି । ଏଠାକୁ ଦେଶ ବିଦେଶରୁ ପର୍ଯ୍ୟଟକ ଓ ବୌଦ୍ଧ ଧର୍ମାବଲମ୍ବୀ ମାନେ ଆସୁଥିଲେ । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ ଅବସ୍ଥାରେ ରହିଛି ଏହି ବୌଦ୍ଧ କିର୍ତ୍ତିରାଜି । ଏହାକୁ ସୁରକ୍ଷିତ ରଖିବା ପାଇଁ ସଂଗ୍ରହାଳୟ ନଥିବା ବେଳେ ପାହାଡ଼ ଉପରେ ନା ଆଲୋକୀକରଣ, ନା ପାନୀୟ ଜଳ , ନା ପର୍ଯ୍ୟଟକଙ୍କ ରହିବା ବ୍ୟବସ୍ଥା ହୋଇଛି । ଯେଉଥିପାଇଁ ଧିରେ ଧିରେ ନିଜ ଅସ୍ତିତ୍ବ ହରାଇବାକୁ ବସିଛି ଲାଙ୍ଗୁଡ଼ି ପାହାଡ଼ ।

ଏଠାରେ ଥିବା ପାନ୍ଥଶାଳା ବି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା । ହେଲେ ରାଜ୍ୟ ସରକାରଙ୍କ ଓଟିଡିସି ପକ୍ଷରୁ ଏହାର ପୁନଃରୁଦ୍ଧାର ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ପାନ୍ଥଶାଳାରେ ପାର୍ଥନା ସଭା ଗୃହ, ଯୋଗ କକ୍ଷ୍ୟ, ଦୋକାନ ଗୃହ, ବୌଦ୍ଧ ଭିକ୍ୟୁ ମାନେ ରହିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ମାନେ ଏହାର ସୁଫଳ ପାଇ ପାରିବେ ।