୩୧ରେ ପାଦ ଥାପିଲା ବୌଦ୍ଧ ଜିଲ୍ଲା, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ପାଇଥିଲା ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା
ନନ୍ଦିଘୋଷ ବ୍ୟୁରୋ: ୩୧ ବର୍ଷରେ ପାଦ ଥାପିଲା ବୌଦ୍ଧ ଜିଲ୍ଲା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ୧୯୯୪ ମସିହା ଜାନୁୟାରୀ ୨ ତାରିଖରେ ଅଭିବକ୍ତ କନ୍ଧମାଳ ଜିଲ୍ଲାରୁ ଅଲଗା ହୋଇ ଗଠନ ହୋଇଥିଲା ସ୍ଵତନ୍ତ୍ର ବୌଦ୍ଧ ଜିଲ୍ଲା । ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ୩ଟି ବ୍ଲକକୁ ନେଇ ଗଠନ ହୋଇଥିବା ଏହି ଜିଲ୍ଲା ଗୋଟିଏ ଏନେସିରେ ହିଁ ସୀମିତ ରହିଛି । ଗତ ୩୦ ବର୍ଷ ଭିତରେ ଜିଲ୍ଲାରେ ଅନେକ ବିକାଶ ହୋଇଥିଲେ ବି ଆଜି ବି ଅନେକ ଅଞ୍ଚଳରେ ପହଞ୍ଚି ପାରିନି ସମସ୍ତ ସୁବିଧା । ଜିଲ୍ଲାରେ ହାତଗଣତି କିଛି କଲେଜ ରହିଥିବା ବେଳେ ସେଗୁଡିକ ଆଜିଯାଏଁ ସରକାରୀ କଲେଜର ମାନ୍ୟତା ପାଇପାରିନାହିଁ । କଲେଜରେ ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ପିଲାଙ୍କୁ ବାହାର ଜିଲ୍ଲା ଉପରେ ନିର୍ଭର କରିବାକୁ ପଡୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂତନ କୋଠା ନିର୍ମାଣ ସରିଥିବା ବେଳେ ତାହା ଉଦଘାଟନ ହୋଇନାହିଁ । ସେହିପରି ଆଜିବି ଅନେକ ଅଞ୍ଚଳରେ ଗମନାଗମନ ସୁବିଧା ନଥିବାରୁ ଗାଁକୁ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ପଶ୍ଚିମ ଓଡିଶାକୁ ଉତ୍ତର ଓଡିଶା ସହ ଯୋଡିବାରେ ବୌଦ୍ଧ ଜିଲ୍ଲା ପ୍ରମୁଖ ଭୁମିକା ବହନ କରେ । ବିଗତ ଦିନରେ ବିଜେଡି ସରକାରଙ୍କ ଉଦ୍ୟମରେ ଜିଲ୍ଲାର ଅନେକ ବିକାଶ ହୋଇଛି । ବୌଦ୍ଧର ୧୦୦ ବର୍ଷର ପୁରାତନ କୋର୍ଟ କୋଠାକୁ ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟ ହୋଇଥିଲା । ଯାହା ଜିଲ୍ଲାର ଐତିହ୍ୟ ବହନ କରି ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ମହାନଦୀ କୂଳରେ ୭୩୦ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପକୁ ପୂର୍ବ ସରକାର ମଞ୍ଜୁର କରିଥିଲେ । କିନ୍ତୁ ବିଜେପି ସରକାର ସମୟରେ ସେହି ପ୍ରକଳ୍ପ କାର୍ଯ୍ୟ ଧିମେଇ ଯାଇଥିବା ନେଇ ଲୋକ ଅଭିଯୋଗ କରିଛନ୍ତି । ଏପଟେ ଜିଲ୍ଲାରେ କୃଷି ଭିତ୍ତିକ ଶିଳ୍ପ ଓ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।