କାର ସହ ବାଇକ୍ ଧକ୍କା, ଜଣେ ମୃତ

1 min read

ବୌଦ୍ଧା: ବୌଦ୍ଧା ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ କଖାରୁଫାଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ସହ ବାଇକର ଧକ୍କା ହେବାରୁ ଜଣେ ମୃତ ଜଣେ ଗୁରୁତର । ମୃତକ ହେଲେ ହାବିଲଦାର ପ୍ରମୋଦ ପାଣିଗ୍ରାହୀ । ତାଙ୍କ ଗୋଡ ଛିଣ୍ଡିଯାଇଥିବାରୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଉଥିଲା । ପୁରୁଣାକଟକ ଥାନା ଅନ୍ତର୍ଗତ ଅଡେଣିଗଡ଼ ଫାଣ୍ଡିରେ କାର୍ଯ୍ୟରତ ହାବିଲଦାର ପ୍ରମୋଦ ପାଣିଗ୍ରାହୀ ଓ ଗୃହରକ୍ଷୀ ଟୁକୁନା ଏକ ବାଇକ ଯୋଗେ ଚାରିଛକରୁ ମାଧପୁରକୁ ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା । କଖାରୁଫାଳ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟଙ୍କ ଗୋଡ଼ରେ ଗଭୀର ଲାଗିବା ସହ ହାବିଲଦାର ପ୍ରମୋଦ ପାଣିଗ୍ରାହୀଙ୍କ ଗୋଡ଼ ସମ୍ପୁର୍ଣ୍ଣ ଭାବେ ଛିଣ୍ଡି ଯାଇଥିଲା । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଅଡେଣିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ପ୍ରମୋଦଙ୍କୁ କଟକ ସ୍ଥାନାନ୍ତର ବେଳେ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ହସପିଟାଲରେ ସ୍ଥାୟୀ ଆମ୍ବୁଲାନ୍ସ ନଥିବାରୁ ଉତ୍ୟକ୍ତ ହୋଇ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଥିଲା । ବୌଦ୍ଧ ଏସପି ରାଜ୍ ପ୍ରସାଦ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ । ପରେ ହରଭଙ୍ଗା ତହସିଲଦାର ପହଞ୍ଚି ୧୫ ଦିନ ମଧ୍ୟରେ ଅଡେଣିଗଡ଼ ସ୍ବାସ୍ଥ୍ୟ କେନ୍ଦ୍ରକୁ ଏକ ସ୍ଥାୟୀ ଆମ୍ବୁଲାନ୍ସ ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ପ୍ରତ୍ୟହୃତ ହୋଇଛି ।