spot_img

Latest Posts

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଗିରଫ ହେଲେ ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ର

ବୌଦ୍ଧ: ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ର ଗିରଫ। ବସନ୍ତଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲରେ ବସନ୍ତ ମହାପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି। ବସନ୍ତଙ୍କର ୧୯ କୋଟି ଟଙ୍କାରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛ ଭିଜିଲାନ୍ସ। ଯେଉଁଥିରେ ୧୪ କୋଟି ୫୦ ଲକ୍ଷର ଫ୍ଲାଟ୍, ୪ କୋଟି ୫୦ ଲକ୍ଷର ସୁନା ଗହଣା, ଗାଡ଼ି ଓ ଆସବାବପତ୍ର ରହିଛି।

ଚଢ଼ାଉ ବେଳେ କେବଳ ଭୁବନେଶ୍ବରରୁ ଏହି ବାବୁଙ୍କର ୫ଟି ଦାମୀ ଫ୍ଲାଟ୍‌ ସାଙ୍ଗକୁ ଗୋଟିଏ ସପିଙ୍ଗ ‌କମ୍ପ୍ଲେକ୍ସ ଠାବ କରାଯାଇଛି। ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କର ପାହାଳ ଅଞ୍ଚଳରେ ଉତ୍କଳ ସିଗ୍‌ନେଚରରେ ୩ ହଜାର ବର୍ଗଫୁଟ୍‌ରେ ନିର୍ମିତ କୋଟିଏ ଟଙ୍କାର ଫ୍ଲାଟ୍‌ ଥିବା ବେଳେ ଗୌତମନଗର ଅଞ୍ଚଳରେ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ୨ କୋଟି ଟଙ୍କା ମୂଲ୍ୟର ୨୫ ଶହ ବର୍ଗଫୁଟ୍‌ର ସପିଙ୍ଗ୍ କମ୍ପ୍ଲେକ୍ସ, କଳ୍ପନା ସ୍ଥିତ ଉତ୍କଳ ରୟାଲ୍‌ ରେସିଡେନ୍ସିରେ କୋଟିଏ ଟଙ୍କା ମୂଲ୍ୟର ଫ୍ଲାଟ, କଳାରାହଙ୍ଗ ଅଞ୍ଚଳରେ ଜେଡ୍‌-୧ ଆଇକନିକ୍‌ରେ ଫାଇଭ ବିଏଚ୍‌କେ ଫ୍ଲାଟ୍‌ ପାଇଁ ଅଗ୍ରୀମ ୧ କୋଟି ୩୫ ଲକ୍ଷ ଟଙ୍କା ଜମା, ଶୈଳଶ୍ରୀବିହାର ଅଞ୍ଚଳରେ ୱେଷ୍ଟ୍‌ ଏଣ୍ଡ ଆପାର୍ଟମେଣ୍ଟରେ ଫ୍ଲାଟ୍‌ ଓ ରଙ୍ଗମାଟିଆ ହରପ୍ରିୟା ଏନ୍‌କ୍ଲେଭରେ ଫ୍ଲାଟ ଠାବ ହୋଇଛି।

ବେଙ୍ଗାଲୁରୁରେ ମଧ୍ୟ ତାଙ୍କର ଫ୍ଲାଟ ରହିଛି। ସେ ଓଜୋନ୍‌ ଏଲିଗାଣ୍ଟରେ ଫ୍ଲାଟ ପାଇଁ ୮୮ଲକ୍ଷ ଟଙ୍କା ଅଗ୍ରୀମ ଦେଇଛନ୍ତି। ତାଙ୍କର ବିଭିନ୍ନ ବ୍ୟାଙ୍କ୍‌ରେ ୩ କୋଟିରୁ ଅଧିକ ଟଙ୍କା ଜମାଥିବା ଭିଜିଲାନ୍ସ ହାତରେ ତଥ୍ୟ ଲାଗିଛି। ଭୁବନେଶ୍ବର ଆକ୍ସିସ ବ୍ୟାଙ୍କରେ ୨ କୋଟି ୧୧ ଲକ୍ଷ ୭୯ ହଜାର ଟଙ୍କା ଥିବା ବେଳେ ଆଇସିଆଇସିଆଇ ବ୍ୟାଙ୍କରେ ୪୪ ଲକ୍ଷ ୩୫ ହଜାର ଟଙ୍କା ଓ ଏସ୍‌ବିଆଇରେ ୩୯ ଲକ୍ଷ ୫୫ ହଜାର ଟଙ୍କା ରହିଛି। ଇନ୍‌ସ୍ୟୁରାନ୍ସ ଓ ବଣ୍ଡ୍‌ ଜମାକୁ ଠାବ କରାଯାଇଛି।

ଏନ୍‌ଏଚ୍‌ଏଆଇ କ୍ୟାପିଟାଲ୍‌ ଗେନ୍‌ ବଣ୍ଡରେ ୪୮ ଲକ୍ଷ ଟଙ୍କା ଓ ମ୍ୟାକ୍ସ ଲାଇଫ୍‌ରେ ୩୧ ଲକ୍ଷ ୯୦ ହଜାର ଟଙ୍କା ରହିଛି। ଘରୁ ନଗଦ ୧ ଲକ୍ଷ ୧୬ ହଜାର ୭୦୦ ଟଙ୍କା, ୬୦୦ ଗ୍ରାମ୍‌ର ସୁନା ଗହଣା, ୩୧୮ ଗ୍ରାମର ରୁପା, ୯ ଲକ୍ଷ ଟଙ୍କାର ଆସବାବପତ୍ର ମଧ୍ୟ ଜବତ କରାଯାଇଛି। ଗୋଟିଏ ବାଇକ୍‌ ଠା‌ବ ହୋଇଛି। ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କର ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୯ କୋଟିରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

Latest Posts

Don't Miss