ନନ୍ଦିଘୋଷ ବ୍ୟୁରୋ : ବୌଦ୍ଧରେ ଗଞ୍ଜେଇ କାରବାରକୁ ନେଇ ଭାଇରାଲ ଅଡିଓ ପରେ ବଡ଼ ଆକ୍ସନ୍ । ବୌଦ୍ଧରେ ଗଞ୍ଜେଇ କାରବାର ସହ ପୋଲିସ ବିଭାଗର କିଛି କର୍ମଚାରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଉଠିବା ପରେ ବିଭାଗୀୟ ସ୍ତରରେ ହୋଇଛି କଡ଼ା କାର୍ଯ୍ୟାନୁଷ୍ଠାନ । ବଘିଆପଡ଼ା ଫାଣ୍ଡି ଏସ୍ଆଇ ପ୍ରାଣବନ୍ଧୁ ସାହୁଙ୍କୁ ନିଲମ୍ବିତ କରାଯାଇଥିବା ବେଳେ, ଗଞ୍ଜେଇ ନେଇ ଯାଇ ଧରାପଡ଼ିଥିବା ହୋମଗାର୍ଡ ମାନଭଞ୍ଜ ଜଗଦଲାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।
ଗଞ୍ଜେଇ କାରବାର ସହ ପୋଲିସ ବିଭାଗର ଯେକୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି । ଗଞ୍ଜେଇ କାରବାରକୁ ରୋକିବା ପାଇଁ ବୌଦ୍ଧ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉଛି । ଫାଣ୍ଡି ପୋଲିସ ଜବତ କରିଥିବା ଗଞ୍ଜେଇକୁ ହେପାଜତରୁ ବାହାରକୁ ଚୋରା ଚାଲାଣ କରାଯାଇଥିବା ଅଭିଯୋଗ ଉଠିଥିଲା । ଗତ ୨୨ ତାରିଖରେ ଭାଇରଲ ହୋଇଥିଲା ଏକ ଚାଞ୍ଚଲ୍ୟକର ଅଡିଓ ।
ଏହି ଅଡିଓରେ ଗଞ୍ଜେଇ ଜବତ, ଚାଲାଣ ଏବଂ ଟଙ୍କା କାରବାରକୁ ନେଇ ହୋଇଥିବା କଥାବାର୍ତ୍ତା ସାମ୍ନାକୁ ଆସିଥିଲା । ଘଟଣାରେ ପ୍ରାୟ ୧ କୁଇଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଏହି ଘଟଣାରେ ଦୁଇ ଯୁବକଙ୍କ ସହ ଜଣେ ହୋମଗାର୍ଡ ମଧ୍ୟ ଧରାପଡ଼ିଥିବା କୁହାଯାଇଥିଲା । ପଚରାଉଚରା ବେଳେ ଗଞ୍ଜେଇ ବଘିଆପଡା ଫାଣ୍ଡିରୁ ଆସିଥିବା ନେଇ ସେମାନେ କହିଥିବା ଅଡିଓରେ ଦାବି କରିଥିଲେ ।ପରେ ଜଣେ ସବ୍-ଇନ୍ସପେକ୍ଟର ଫାଣ୍ଡି ଅଧିକାରୀଙ୍କୁ ଫୋନ୍ରେ ପଚାରିଥିବା ବେଳେ ହୋଇଥିବା କଥାବାର୍ତ୍ତା ମଧ୍ୟ ଭାଇରଲ ହୋଇଥିଲା । କଥାବାର୍ତ୍ତାରେ ୨ କୁଇଣ୍ଟାଲ ୭୦ କେଜି ଗଞ୍ଜେଇ ଦିଆଯାଇଥିବା ଏବଂ ଟଙ୍କା ଆସିଥିବା ଭଳି ଦାବି ଶୁଣିବାକୁ ମିଳିଥିଲା ।

