ବିଧାୟକଙ୍କ ହାତପାଣ୍ଠି ବୃଦ୍ଧି ନେଇ ବିଧାନସଭାରେ ଦାବି କଲେ ବିରୋଧୀ ଓ ଶାସକ ଦଳର ସଦସ୍ୟ

ଭୁବନେଶ୍ୱର: ବିଧାୟକଙ୍କ ହାତପାଣ୍ଠି ବୃଦ୍ଧି ନେଇ ବିଧାନସଭାରେ ସରଗରମ ଆଲୋଚନା ହୋଇଛି । ଉଭୟ ଶାସକ ଓ ବିରୋଧୀ ସଦସ୍ୟ ବିଧାୟକ ଏଥିପାଇଁ ଦାବି କରିଛନ୍ତି । ବର୍ତ୍ତମାନ ବିଧାୟକଙ୍କପାଣ୍ଠି ୩ କୋଟି ଟଙ୍କା ରହିଛି । ଏଥିରୁ ୨ କୋଟି ଟଙ୍କା ସାଧାରଣରେ, ଉଚ୍ଚଶିକ୍ଷା ପାଇଁ ୫୦ ଲକ୍ଷ ଏବଂ ରାସ୍ତାଘାଟ ନିର୍ମାଣ ପାଇଁ ୫୦ ଲକ୍ଷ ଦିଆଯାଉଛି । ଏହି ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ତଥା ମୂଳ ପ୍ରଶ୍ନକର୍ତ୍ତା ସଞ୍ଜୀବ ମଲିକ କହିଛନ୍ତି, ରାଜ୍ୟର ବଡ଼ ବଡ଼ ମନ୍ଦିରର ବିକାଶ ଚାଲୁ ରହିଛି ।

ମାତ୍ର ଗାଁରେ ଥିବା ଛୋଟଛୋଟ ମନ୍ଦିରର ବିକାଶ ପାଇଁ ବିଧାୟକ ପାଣ୍ଠି କମ୍‌ ପଡୁଛି । ସେଥିପାଇଁ ସାଧାରଣରେ ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ ୨ କୋଟି ଟଙ୍କାକୁ ୩ କୋଟି କରଯାଉ । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ପଡ଼ୋଶୀ ରାଜ୍ୟରେ ବିଧାୟକ ପାଣ୍ଠି 5 କୋଟି ଟଙ୍କା ରହିଛି । ଆମ ରାଜ୍ୟରେ ଏହାକୁ ୩ କୋଟିରୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରଯାଉ ।

ସରସ୍ୱତୀ ଶିଶୁ ମନ୍ଦିରକୁ ବିଧାୟକ ପାଣ୍ଠିରୁ କିପରି ଅନୁଦାନ ଦେବା ବ୍ୟବସ୍ଥା କରଯାଉ । ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ରାସ୍ତାଘାଟ ନିର୍ମାଣ, କୋଭିଡ୍‌ ଏବଂ ଉଚ୍ଚଶିକ୍ଷା ପାଇଁ ଧାର୍ଯ୍ୟ ଅର୍ଥ ସୀମାକୁ ଉଠାଯାଇ ସାଧାରଣ ଖର୍ଚ୍ଚକୁ ୩ କୋଟି ଟଙ୍କା କରାଯାଉ ବୋଲି ସାଲୁଜା କହିଛନ୍ତି।. ଅନ୍ୟପଟେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ବର୍ତ୍ତମାନ ବିଧାୟକ ପାଣ୍ଠି ବଢ଼ାଇବାର ପ୍ରସ୍ତାଵ ନାହିଁ ।

ସମୟ ଆସିଲେ ବିଚାର କରାଯିବ । ବିଧାୟକଙ୍କ ଆଞ୍ଚଳିକ ପାଣ୍ଠି ଆନ୍ଧ୍ର ପ୍ରଦେଶରେ 2 କୋଟି ଥିବା ବେଳେ ତେଲଙ୍ଗାନାରେ ୫ କୋଟି, ଛତିଶଗଡ଼ରେ ୪ କୋଟି, ପଶ୍ଚିମବଙ୍ଗରେ ୬୦ ଲକ୍ଷ, ଝାଡ଼ଖଣ୍ଡରେ ୪ କୋଟି, ମହାରାଷ୍ଟ୍ର ରେ ୫ କୋଟି ଏବଂ ଉତ୍ତର ପ୍ରଦେଶରେ ୫ କୋଟି ଟଙ୍କା ରହିଛି । ଏନେଇ ଅଧିକାରୀମାନଙ୍କ ସହ ଆଲୋଚନା କରି ଗୃହକୁ ଜଣାଇବାକୁ ଯୋଜନା ଓ ସଂଯୋଜନ ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।