ବଢୁଛି ଦିଲ୍ଲୀ ପ୍ରଦୂଷଣ ସମସ୍ୟା, ନିୟନ୍ତ୍ରଣ ଲାଗି ସରକାରୀ ବେସରକାରୀ ସଂସ୍ଥାକୁ ପରାମର୍ଶ

ନୂଆଦିଲ୍ଲୀ: ବଢୁଛି ଦିଲ୍ଲୀ ପ୍ରଦୂଷଣ ସମସ୍ୟା । ପ୍ରଦୂଷଣ ବୃଦ୍ଧି ଯୋଗୁ ଅନେକ ସ୍ଥାନରେ ସ୍ଥିତି ହେଲାଣି ଉଦବେଗଜନକ । ଗତକାଲି ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନାଙ୍କ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବୈଠକରେ ସ୍ଥିତି ସମୀକ୍ଷା କରାଯାଇଥିଲା । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ସମସ୍ତ ସରକାରୀ ବିଭାଗ ଓ ସଂସ୍ଥା ପ୍ରଦୂଷଣ ନିୟନ୍ତ୍ରଣ ଲାଗି ପଦକ୍ଷେପ ନେବେ ।

ଯଥାସମ୍ଭବ ଘରେ ରହିବା ଲାଗି ପିଲା ଓ ବୟସ୍କଙ୍କୁ ଦିଆଯାଇଛି ପରାମର୍ଶ । ବିନା କାରଣରେ ଯାତ୍ରା ନକରିବା, ପବ୍ଲିକ ଟ୍ରାନସପୋର୍ଟ ବ୍ୟବହାର କରିବା, ଯାନ୍ତ୍ରିକ ଉପାୟରେ ସଫେଇ, ଜଳ ସିଞ୍ଚନ ଆଦି ତ୍ବାରାନ୍ବିତ କରିବା, ନିଆଁ ନିୟନ୍ତ୍ରଣ ଲାଗି ପଞ୍ଜାବକୁ ଅନୁରୋଧ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଦିଲ୍ଲୀର ଅଧିକାଂଶ ସ୍ଥାନରେ ଏକ୍ୟୁଆଇ ୪୫୦ରୁ ଅଧିକ ରହିଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି ।

ତେଣେ ପଞ୍ଜାବର ମୋଗା ସମେତ ଅନ୍ୟାନ୍ୟ ସ୍ଥାନରେ ନଡା ପୋଡାଯାଉଥିବାରୁ ସ୍ଥିତି ଅଧିକ ବିପନ୍ନ ହୋଇଛି ।