ବଦଳୁଛି କି ଜଙ୍ଗଲ ଆଇନ ? ଫୁଲଫଳ ଖାଇବା ଛାଡ଼ି ମାଂସ ଖାଉଛି ଓରାଙ୍ଗଉଟାନ

1 min read

ବୋର୍ନିଓ: ମଣିଷ ଭଳି ବଦଳୁଛି କି ବନ୍ୟଜନ୍ତୁଙ୍କ ଖାଦ୍ୟପେୟର ଅଭ୍ୟାସ ? ଶାକାହାରୀ ମଣିଷ ଯେମିତି ଆମିଷ ଖାଉଛି ବନ୍ୟ ପ୍ରାଣୀ ବି ସେମିତି କରୁଛନ୍ତି କି ? ଫଳମୂଳ, ଗଛପତ୍ର ଖାଇବା ଛାଡ଼ି ମାଂସ ଖାଇବା ଆରମ୍ଭ କରିଛନ୍ତି କି ଶାକାହାରୀ ଜୀବ ? ହୁଏତ ନୁହେଁ । ହେଲେ ଆଜି ଆମେ ଏମିତି ଏକ ଜୀବ ବିଷୟରେ କହିବାକୁ ଯାଉଛୁ ଯାହାର ଖାଦ୍ୟପେୟ ଜୀବ ବିଜ୍ଞାନୀଙ୍କୁ ମଧ୍ୟ ଜଙ୍ଗଲ ଆଇନକୁ ନେଇ ଆଉ ଥରେ ଭାବିବାକୁ ବାଧ୍ୟ କରିଦେବ ।

ଆଜ୍ଞା ହଁ, ଏକ ଓରାଙ୍ଗଉଟାନର ଖାଇବା ପରିବର୍ତ୍ତନ ଏବେ କେବଳ ଜୀବ ବିଜ୍ଞାନୀ ନୁହଁନ୍ତି, ସମସ୍ତଙ୍କୁ ଚକିତ କରିବାରେ ଲାଗିଛି । ପ୍ରଥମ ଥର ପାଇଁ ଶାକାହାରୀ ଓରାଙ୍ଗଉଟାନକୁ ମାଂସ ଖାଉଥିବା ଦେଖିବାକୁ ମିଳିଛି । ବର୍ନିଲର ମୋଲଙ୍ଗ ନାମକ ଓରାଙ୍ଗଉଟାନ ଏକ ସ୍ଲୋ ଲୋରିସ ମାଙ୍କଡ଼କୁ ମାରି ଖାଇଯାଇଛି । ସ୍ଲୋ ଲୋରିସ ହେଉଛି ମାଙ୍କଡ ପ୍ରଜାତୀର ଏକ ଛୋଟ ଜୀବ ।

ଘଟଣା ୨୦୧୭ ମସିହାର । ହେଲେ ଓରାଙ୍ଗଉଟାନ ମାଂସ ଖାଇବା ପରେ ବିଶ୍ବର ଅନ୍ୟ ଦେଶରେ ଥିବା ଏହି ଜୀବଙ୍କ ଉପରେ ସର୍ଭେ ଆରମ୍ଭ ହୋଇଥିଲା । ଏହାପରେ ଷ୍ଟଡି ପ୍ରାଇମେଟ ନାମକ ଏକ ଜର୍ନଲରେ ଏବେ ଏହାର ରିପୋର୍ଟ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଓରାଙ୍ଗଉଟାନ ଶାକାହାରୀ ଜୀବ । ଏମାନେ ଫଳ, କଅଁଳିଆ ପତ୍ର, ଚେରମୂଳ ଓ କିଛି ମାତ୍ରାରେ କୀଟପତଙ୍ଗ ଖାଇଥାନ୍ତି । ମୁଖ୍ୟତଃ ଓରାଙ୍ଗଉଟାନର ଖାଇବାର ୬୧ ପ୍ରତିଶତ ବିଭିନ୍ନ ପ୍ରକାରର ଫଳ ଥାଏ । ୧୪ ପ୍ରତିଶତ କଅଁଳିଆ ପତ୍ର ଓ ୮ ପ୍ରତିଶତ ଫୁଲ ଖାଇବାକୁ ପସନ୍ଦ କରିଥାନ୍ତି । ହେଲେ ୨୦୦୩ରୁ ୨୦୧୭ ବର୍ନିୟନ ଓରାଙ୍ଗଉଟାନ ଉପରେ ଚାଲିଥିବା ଏକ ସର୍ଭେ ସମୟରେ ଏହି ଅଜବ ଘଟଣା ଘଟିଥିଲା । ଯାହା ଓରାଙ୍ଗଉଟାନଙ୍କ ଖାଇବାକୁ ନେଇ ପୂର୍ବରୁ ଥିବା ଧାରଣା ଉପରେ ବିଚାର କରିବାକୁ ଜୀବ ବିଜ୍ଞାନୀଙ୍କୁ ବାଧ୍ୟ କରିଛି ।

ଘଟଣା ଦିନ ଓରାଙ୍ଗଉଟାନ ମୋଲଙ୍ଗ ନିଜ ମାଆ କୋରୀ ଓ ୩ ବର୍ଷର ପିଲା କେଟାମ୍ବେ ସହ ଗଛ ଉପରେ ବସିଥିଲା । ପ୍ରତିଦିନ ପରି ସେଦିନ ବି ପୂରା ପରିବାର ମଜାରେ ଗଛ ପତ୍ର ଖାଉଥିଲେ । ଏହି ସମୟରେ ପାଖ ଗଛରେ ଥିବା ଏକ ସ୍ଲୋ ଲୋରିସ ଉପରେ ମୋଲଙ୍ଗର ନଜର ପଡିଥିଲା ।  ଏହାପରେ ମୋଲଙ୍ଗ ତାକୁ ଗୋଡାଇବା ସହ ଗଛରୁ ତଳକୁ ଖସାଇ ଦେଇଥିଲା । ସ୍ଲୋ ଲୋରିସ ତଳେ ପଡ଼ିବା ମାତ୍ରେ ମୋଲଙ୍ଗ ତାକୁ ଧରି ପୁଣି ନିଜ ପରିବାର ପାଖକୁ ଗଛ ଉପରକୁ ପଳାଇଥିଲା । ଗଛରେ ବସିବା ପରେ ହଠାତ ସେ ସ୍ଲୋ ଲୋରିସର ମୁଣ୍ଡକୁ ଗୋଟିଏ ଝଟକାରେ ଶରୀରରୁ ଭିଡି ଅଲଗା କରି ଦେଇଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଲେ ମାଙ୍କଡଟିର ମୃତ୍ୟୁ ହୋଇଯିବା ପରେ ମୋଲଙ୍ଗ ତାକୁ ତଳକୁ ନଫିଙ୍ଗି ଖାଇବା ଆରମ୍ଭ କରି ଦେଇଥିଲା । ଯାହା ଏହି ଓରାଙ୍ଗଉଟାନ ପରିବାର ଉପରେ ସର୍ଭେ କରୁଥିବା ଜୀବ ବିଜ୍ଞାନଙ୍କ ଗୋଡ ତଳୁ ମାଟି ଖସାଇ ଦେବା ଭଳି ଘଟଣା ଥିଲା ।

ଏହାଠାରୁ ବଡ଼ କଥା ହେଲା ଓରାଙ୍ଗଉଟାନ ପରିବାର ଯାହା ବି ଖାଇଥାନ୍ତି ନିଜ ମଧ୍ୟରେ ଭାଗବଣ୍ଟା କରିଥାନ୍ତି । ହେଲେ ମାଆ କୋରୀ ଯେତେବେଳେ ମୋଲଙ୍ଗକୁ ମାଂସ ମାଗିଥିଲା ସେ ଦେବାକୁ ମନା କରିଦେଇଥିଲା ।

Orangutan in Kalimantan, Indonesia.

ବୈଜ୍ଞାନିକମାନେ ତାଙ୍କ ଷ୍ଟଡି ରିପୋର୍ଟରେ ଉଲ୍ଲେଖ କରିଛନ୍ତି, ‘ବର୍ନିୟନ ଓରାଙ୍ଗଉଟାନର ଏମିତି ଆକ୍ରମଣ ଓ ଖାଇବା ପିଇବାକୁ ନେଇ ଜୀବ ବିଜ୍ଞାନୀ ଆଚମ୍ବିତ ଅଛନ୍ତି । ଏଣୁ ଏତେ ଶୀଘ୍ର ଓରାଙ୍ଗଉଟାନର ଏମିତି ବ୍ୟବହାରକୁ ନେଇ କିଛି କହିବା ଠିକ୍ ହେବ ନାହିଁ । ଭବିଷ୍ୟତରେ ଯଦି ଏମିତି କିଛି ଘଟଣା ପୁଣି ଦେଖିବାକୁ ମିଳିବ ତେବେ ଏହା ଉପରେ କିଛି ବିଚାର କରାଯାଇପାରେ ।’

Leave a Reply