ଆଦାନୀ ଗ୍ରୁପ ସହ ଜଡ଼ିତ ଲଣ୍ଡନର ଏଲାରା କ୍ୟାପିଟାଲ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ଲର୍ଡ ଜୋ ଜନସନ

1 min read

ନୂଆଦିଲ୍ଲୀ: ଆଦାନୀ ଗ୍ରୁପକୁ ପୁଣି ଧକ୍କା । ଆଦାନୀ ଗ୍ରୁପ ସହ ଜଡ଼ିତ ବ୍ରିଟେନର ଏକ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାଇ ଲର୍ଡ ଜୋ ଜନସନ । ଆଦାନୀ ଏଣ୍ଟରପ୍ରାଇଜର୍ସର ଫଲୋଅନ ପବ୍ଲିକ ଅଫର ବା ଏଫପିଓ ପ୍ରତ୍ୟାହାର ପ୍ରକ୍ରିୟା ପରେ ପରେ ଏହି ପଦକ୍ଷେପ ନେଇଛନ୍ତି ଜନସନ । ଗତବର୍ଷ ଜୁନରେ ଲଣ୍ଡନଭିତ୍ତିକ ଏଲାରା କ୍ୟାପିଟାଲର ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ ଜନସନ । ନିଜ ଇସ୍ତଫା ପ୍ରସଙ୍ଗରେ ଜନସନ କହିଛନ୍ତି- ବ୍ୟକ୍ତିଗତ କାରଣରୁ ସେ ଏହି ପଦକ୍ଷେପ ନେଇଛନ୍ତି । ଭାରତ ଓ ବ୍ରିଟେନ ମଧ୍ୟରେ ବାଣିଜ୍ୟ ଓ ନିବେଶ ସମ୍ପର୍କକୁ ମଜଭୁତ କରିବା ଲାଗି ସେ ଏହି କମ୍ପାନୀରେ ଯୋଗଦେଇଥିଲେ ।

ଏସିଆର ସବୁଠୁ ଧନଶାଳୀ ଗୌତମ ଆଦାନୀଙ୍କ ବିଜନେସ ଏମ୍ପାୟାର ଭୁଶୁଡ଼ିବାରେ ଲାଗିଥିବାବେଳେ ସେ ହରାଇଲେଣି ପ୍ରାୟ ୧୦୪ ବିଲିୟନ ଡଲାର । ଆଦାନୀ ସେୟାରରେ ଜାଲିଆତି ହୋଇଥିବା ନେଇ ଆମେରିକୀୟ ଗବେଷଣା ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ପରେ ଭୁଶୁଡ଼ିବାରେ ଲାଗିଛି ଆଦାନୀ ସାମ୍ରାଜ୍ୟ । ୨୦ ହଜାର କୋଟିର ଏଫପିଓ ରଦ୍ଦ ଲାଗି ଆଦାନୀ ଏଣ୍ଟରପ୍ରାଇଜେର୍ସ ଘୋଷଣା କରିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗକୁ ନେଇ ସଂସଦର ଉଭୟ ଗୃହରେ ଗତକାଲି ସୃଷ୍ଟି ହୋଇଥିଲା ଝଡ଼ । ଜେପିସି ତଦନ୍ତ ଦାବି କରିଥିଲେ ବିରୋଧୀ ।