ବୋରୱେଲରେ ପଡ଼ି ୧୦ ବର୍ଷର ପିଲା ମୃତ ୧୬ ଘଣ୍ଟାର ଅପରେସନ ଫେଲ୍

ମଧ୍ୟପ୍ରଦେଶ : ବୋରୱେଲରେ ପଡ଼ି ୧୦ ବର୍ଷର ପିଲା ମୃତ। ୧୬ ଘଣ୍ଟା ଧରି ହୋଇଥିବା ଉଦ୍ଧାର ଅପରେସନ ଫେଲ୍ ମାରିଛି। ଏହି ଅଘଟଣ ହେଉଛି ମଧ୍ୟପ୍ରଦେଶର। ପିଲାଟି ୪୦ ଫୁଟର ବୋରୱେଲରେ ପଡ଼ି ଯାଇଥିଲା। ଗତକାଲିଠାରୁ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ଏନଡିଆରଏଫ୍‌, ଏସଡିଆରଏଫ୍‌ ଓ ପୋଲିସ। ଗୁଣା ଜିଲ୍ଲାରେ ଘଟିଥିଲା ଏହି ଅଘଟଣ। ଗତକାଲି ଅପରାହ୍ନ ୩ଟାରେ ରାଘୋଗଡ଼ ଅଞ୍ଚଳର ଜଞ୍ଜାଳିରେ ପିଲାଟି ବୋରୱେଲରେ ପଡ଼ି ଯାଇଥିଲା। ସଂଧ୍ୟାରୁ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ଆଜି ସକାଳ ସାଢ଼େ ୯ଟାରେ ତାକୁ ବୋରୱେଲରୁ ଉଦ୍ଧାର କରାଯାଇଥିଲା। ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳା ଯାଇ ଅକସିଜେନ ବି ଦିଆଯାଇଥିଲା। ଏହା ସତ୍ତ୍ଵେ ସେହି ବାଳକର ଜୀବନ ରକ୍ଷା ହୋଇପାରିନାହିଁ। ଏହା ଆଗରୁ ଗତ ସପ୍ତାହରେ ରାଜସ୍ଥାନର କଟପୁତଲି ଅଞ୍ଚଳରେ ୭୦୦ ଫୁଟର ବୋରୱେଲରେ ପଡ଼ି ଯାଇଥିଲା ୩ ବର୍ଷର କୁନି ଝିଅ। ସେ ପ୍ରାୟ ୧୫୦ ଫୁଟ ତଳେ ଫସି ରହିଛି। ଏଯାଏ ଉଦ୍ଧାର କରାଯାଇପାରିନାହିଁ। ଦୌଷା ଜିଲ୍ଲାରେ ବି ଏପରି ଏକ ଘଟଣା ଘଟିଥିଲା, ଯେଉଁଥିରେ ଜଣେ ୫ ବର୍ଷର ପୁଅର ମୃତ୍ୟୁ ହୋଇଥିଲା।