କରୋନା ଟିକାର ଗୋଟିଏ ଡୋଜ୍ ଯଥେଷ୍ଟ ! ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନଜରରେ ବୁଷ୍ଟର ଡୋଜ୍ ସ୍କାଣ୍ଡାଲ

1 min read

ନୂଆଦିଲ୍ଲୀ: ଗରିବ ରାଷ୍ଟ୍ରଗୁଡିକ ଟିକା ଲାଗି ବ୍ୟାକୁଳ ହେଉଥିବା ବେଳେ କିଛି ରାଷ୍ଟ୍ର ବୁଷ୍ଟର ଡୋଜ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ଏହା ଏକ ସ୍କାଣ୍ଡାଲ ଏବଂ ଟିକା କ୍ଷେତ୍ରରେ ସହାନୁଭୂତିଶୀଳ ହେବା ଲାଗି ଆହ୍ବାନ ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ।  ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡରସ ଅଧନମ ଘେବ୍ରେୟେସସ କହିଛନ୍ତି, ସର୍ବାଧିକ ଟିକା କରଣ କରିଥିବା ଦେଶ ଗୁଡିକ ଅଧିକ ଟିକା ସଂଗ୍ରହ କରୁଛନ୍ତି । କିନ୍ତୁ କମ୍ ଆୟକରୀ ରାଷ୍ଟ୍ର, ଗରିବ ରାଷ୍ଟ୍ର ପ୍ରଥମ ଡୋଜ ବି ପାଇନାହାନ୍ତି । ଅପରପକ୍ଷେ ବିଶ୍ବସ୍ତରରେ ୬ ଗୁଣ ଅଧିକା ବୁଷ୍ଟର ଡୋଜ ଦିଆଯାଉଛି । ପିଲା ଓ ସ୍ବାସ୍ଥ୍ୟବାନ ଲୋକଙ୍କୁ ବୁଷ୍ଟର ଡୋଜ ଦେବାର କୌଣସି ଜରୁରୀ ଆବଶ୍ୟକତା ନାହିଁ । ବରଂ ସ୍ବାସ୍ଥ୍ୟକର୍ମୀ, ବୟସ୍କ, ଅଧିକ ଗୁରୁତର ରୋଗୀ ପ୍ରମୁଖଙ୍କୁ ଟିକା ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ୟୁରୋପରେ କୋଭିଡ କମିବାର ନାଁ ନେଉନାହିଁ । ଗତ ସପ୍ତାହରେ ୨୦ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହରେ ମଧ୍ୟ ୨୭ ହଜାର ଲୋକ ପ୍ରାଣ ହରାଇଛନ୍ତି । ଯାହାକି ସାରା ବିଶ୍ବରେ ଗତ ସପ୍ତାହରେ ମୃତ୍ୟୁ ସଂଖ୍ୟାର ଅଧା । ତେଣୁ ଯେଉଁ ସବୁ ରାଷ୍ଟ୍ର ଟିକା ଅଭାବରୁ ଜଟିଳ ସ୍ଥିତିରେ ପଡିଛନ୍ତି ସେମାନଙ୍କ ପ୍ରତି ସହାନୁଭୂତିଶୀଳ ହେବା ଲାଗି ସେ ଆହ୍ବାନ ଦେଇଛନ୍ତି । ଗତ ସପ୍ତାହରେ ୧୪୪ଟି ରାଷ୍ଟ୍ରକୁ ୫୦୦ ନିୟୁତ ଟିକା ପଠାଯାଇଛି । ସେପଟେ ମିଳିମିଳା ଲାଗି ମଧ୍ୟ ଟିକାର ଅଭାବ ଦେଖାଦେଇଛି । ଗତବର୍ଷ ୨୨ ନିୟୁତ ଶିଶୁଙ୍କୁ ଏହି ଟିକା ଦିଆଯାଇପାରି ନଥିଲା ବୋଲି ସେ କହିଛନ୍ତି ।

ତେବେ ଯଦି ଭାରତ କଥା କହିବା ତାହାଲେ ଭାରତ ଏପର୍ଯ୍ୟନ୍ତ ବୁଷ୍ଟର ଡୋଜକୁ ନେଇ କୌଣସି ନିଷ୍ପତି ନେଇନାହିଁ । ଭାରତ ସରକାର ଏବେ ପ୍ରଥମ ଓ ଦ୍ବିତୀୟ ଡୋଜ୍ କଭରେଜକୁ ବଢ଼ାଇବା ଉପରେ ଗୁରୁତ୍ବ ଦେଇଛନ୍ତି । ତେବେ ଅନେକ ରାଜ୍ୟ ଓ ସ୍ବାସ୍ଥ୍ୟ ବିଶେଷଜ୍ଞ ବୁଷ୍ଟର ଡୋଜ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ମୁଖ୍ୟତଃ ସ୍ବାସ୍ଥ୍ୟ କର୍ମୀ ଓ ବୃଦ୍ଧମାନଙ୍କୁ ବୁଷ୍ଟର ଡୋଜ୍ ଦେବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଅନ୍ୟପଟେ  ୧୦୦ରୁ ଅଧିକ ଦେଶରେ ଏବେ ବି ସେମାନଙ୍କ ଜନସଂଖ୍ୟାର ୪୦ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇପାରିନାହିଁ । ତେବେ ଏପରି ସ୍ଥିତିରେ ପ୍ରତ୍ୟେକ ଦେଶର ୪୦ ପ୍ରତିଶତ ଲୋକଙ୍କୁ ଟିକାକରଣ କରିବାକୁ ହେଲେ ୫୫୦ ନିୟୁତ ଡୋଜ୍ ଟିକା ଆବଶ୍ୟକ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

Leave a Reply