ନଷ୍ଟ ହେବନି ଖଣ୍ଡିଏ ବି ହାଡ଼, ଏସସିବିରେ ସ୍ଥାପନ ହେବ ବୋନ୍ ବ୍ୟାଙ୍କ୍

କଟକ: ବଡ଼ ମେଡିକାଲରେ ବଡ଼ ବ୍ୟବସ୍ଥା । ନଷ୍ଟ ହେବନି ଖଣ୍ଡିଏ ବି ହାଡ଼ । ଫିଙ୍ଗା ହେବନି କାମରେ ଲାଗିବ । ଏସସିବିରେ ସ୍ଥାପନ ହେବ ବୋନ୍ ବ୍ୟାଙ୍କ୍ । ଏଣିକି ଅସ୍ତ୍ରୋପଚାର ସମୟରେ କୌଣସି ହାଡ଼ ଫୋପଡ଼ା ହେବନି । ଏହାକୁ ଗଚ୍ଛିତ ରଖି ପରବର୍ତ୍ତୀ ସମୟରେ ଅନ୍ୟ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବ । ରାଜ୍ୟରେ ପ୍ରଥମ କରି କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରତିଷ୍ଠା ହେବ ବୋନ୍ ବ୍ୟାଙ୍କ । ଏଥିପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଥିବାବେଳେ ଅନୁଧ୍ୟାନ କରିଛି ଡିଏମଇଟି କାର୍ଯ୍ୟାଳୟର ଅସ୍ଥିଶଲ୍ୟ ବିଭାଗ । ଆବଶ୍ୟକ ମେସିନ୍ ଆଣିବାକୁ ଟେଣ୍ଡର ଡକା ସରିଥିବା ଜଣାପଡ଼ିଛି । ଅତ୍ୟାବଶ୍ୟକ ହ୍ୟୁମାନ ଲ୍ୟୁକୋସାଇଟ ଆଣ୍ଟିଜେନ ତଥା ଏଚଏଲଏ ମ୍ୟାଚିଂ ଲାବୋରେଟୋରୀ ଖୋଲିବା ପାଇଁ ମଧ୍ୟ ଉଦ୍ୟମ କରାଯାଉଛି । ଏଭଳି ସ୍ଥଳେ ବୋନ୍ ବ୍ୟାଙ୍କ ପ୍ରତିଷ୍ଠା କରି ହାଡ଼ ପ୍ରତିରୋପଣ ପାଇଁ ପ୍ରସ୍ତୁତ ହେଉଛି ଏସସିବି ।

ଏଯାଏ ଓଡ଼ିଶାରେ ବୋନ୍ ବ୍ୟାଙ୍କ ନାହିଁ । ଟାଟା ମେମୋରିଆଲ, ଦିଲ୍ଲୀ ଏମ୍ସ, ଚେନ୍ନାଇର କିଛି ଘରୋଇ ହସପିଟାଲରେ ଏହି ବ୍ୟବସ୍ଥା ରହିଛି । ଦୁର୍ଘଟଣା, ଟ୍ୟୁମର କିମ୍ବା କର୍କଟ ରୋଗୀଙ୍କ ଶରୀରର ବିଭିନ୍ନ ଅଙ୍ଗରୁ ହାଡ଼କୁ ଅସ୍ତ୍ରୋପଚାରରେ କାଟି ବାହାର କରିଦିଆଯାଏ । ସାଧାରଣତଃ ଏହାକୁ ଫିଙ୍ଗି ଦିଆଯାଇଥାଏ । ମାତ୍ର ହାଡ଼କୁ ନଫୋପାଡ଼ି ସଦୁପଯୋଗ କରିବାକୁ ନିଆରା ପଦକ୍ଷେପ ନିଆଯାଇଛି । ହାଡ଼କୁ ବୋନ୍ ବ୍ୟାଙ୍କରେ ଗଚ୍ଛିତ ରଖି ପରବର୍ତ୍ତୀ ସମୟରେ ଅନ୍ୟ ରୋଗୀଙ୍କ ଶରୀରରେ ବ୍ୟବହାର କରାଯିବ । ଏସସିବିରେ ଏହା ପ୍ରତିଷ୍ଠା ହେଲେ ରୋଗୀଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ।