ମାଓବାଦୀଙ୍କ ଯୋଜନା ଫେଲ୍, ଅପରେସନ୍ ବେଳେ ବିପୁଳ ବିସ୍ଫୋରକ ଜବତ କଲା ସୁରକ୍ଷା ବାହିନୀ
ମାଲକାନଗିରି: ମାଓବାଦୀଙ୍କ ଯୋଜନା ଫେଲ୍, ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ମାଲକାନଗିରି ମାରିଗେଟା ଅଞ୍ଚଳରୁ ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ । କାଲିମେଳା ଗୋମ୍ଫାକୋଣ୍ଡା ବନାଞ୍ଚଳକୁ ଲାଗିଥିବା ମାରିଗେଟା ଅଞ୍ଚଚଳରେ ବିଏସ୍ଏଫ୍ ଓ ଜିଲ୍ଲା ପୋଲିସ ମିଳିତ ଚଢାଉ କରିଥିଲେ । ମାଓବାଦୀ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ଫଳରେ ମାଓବାଦୀଙ୍କ ବଡଧରଣର ଷଡ଼ଯନ୍ତ୍ର ଯୋଜନା ଫେଲ୍ ମାରିଛି । ବଡ଼ିଗେଟାରେ ଥିବା ୭୬ ବିଏସ୍ଏଫ୍ ବାଟାଲିଅନର ଯବାନମାନେ କମ୍ବିଂ ଅପରେସନ ସମୟରେ ବିସ୍ଫୋରକ ଠାବ କରିଥିଲେ । ମାଟି ତଳୁ ଜିଲେଟିନ ଷ୍ଟିକ୍, ଡିଟୋନେଟର, ବିଦ୍ୟୁତ ତାର ସହ ଅନ୍ୟ ବିସ୍ଫୋରକ ସାମଗ୍ରୀ ମିଳିଛି । ପୂର୍ବରୁ ମାଲକାନଗିରି ପୋଲିସ ସ୍ୱାଭିମାନ ଅଞ୍ଚଳକୁ ଲାଗି ରହିଥିବା ଜଙ୍ଗଲରୁ ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରିଥିଲା । ଆଗକୁ ମାଓ ଦମନ ଅପରେସନ୍କୁ ଜୋରଦାର କରାଯିବ ବୋଲି କୁହାଯାଉଛି ।
ତେବେ କିଛି ଦିନ ପୂର୍ବରୁ ମାଓ ସଂଗଠନକୁ ଏକ ବଡ଼ ଝଟକା ଲାଗିଛି । ଆତ୍ମସମର୍ପଣ କରିଛନ୍ତି ୧୪ ହାଡ୍କୋର୍ ମାଓବାଦୀ । ତାଙ୍କ ମଧ୍ୟରୁ ଦୁଇ ଜଣ ବାମନ ମିଡିଆମି ଏବଂ ରାଜୁ ମିଡ଼ିଆମିଙ୍କ ମୁଣ୍ଡରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଥିଲା ।
ମାଓ ସଂଗଠନରୁ ଅତିଷ୍ଠ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଏମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି । ଦନ୍ତେଓ୍ୱାଡ଼ା ଏସ୍ପି ଅଭିଷେକ ପଲ୍ଲବଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଅସ୍ତ୍ର ତ୍ୟାଗ କରିବା ମାତ୍ରେ ଏମାନଙ୍କୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା ।