ମହାରାଷ୍ଟ୍ର ନିର୍ବାଚନ ଗଡ଼ବଡ଼ି ପ୍ରସଙ୍ଗରେ ନିର୍ବାଚନ କମିଶନ ଓ ମହାରାଷ୍ଟ୍ର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନୋଟିସ୍
1 min readମୁମ୍ବାଇ: ମହାରାଷ୍ଟ୍ରରେ ୨୦୨୪ରେ ହୋଇଥିବା ବିଧାନସଭା ନିର୍ବାଚନରେ ବଡ଼ ଧରଣର ହେରଫେର ହୋଇଥିବା ଅଭିଯୋଗ । ଯାହାକୁ ନେଇ ଭାରତର ନିର୍ବାଚନ କମିଶନ ଓ ମହାରାଷ୍ଟ୍ରର ମୁଖ୍ଯ ନିର୍ବାଚନ ଅଧିକାରୀଙ୍କୁ ଜାରି ହୋଇଛି ନୋଟିସ । ବମ୍ବେ ହାଇକୋର୍ଟ ଏହି ନୋଟିସ୍ ଜାରି କରିଛନ୍ତି । ଚେତନ ଆହିରେଙ୍କ ପକ୍ଷରୁ ଦାୟର ଏକ ପିଟିସନର ଶୁଣାଣି କରି କୋର୍ଟ ନୋଟିସ୍ ଜାରି କରିଛନ୍ତି ।
ଆହିରେଙ୍କ ପକ୍ଷରୁ କୋର୍ଟରେ ଯୁକ୍ତି ରଖିଥିଲେ ବଞ୍ଚିତ ବହୁଜନ ଅଘାଡି ନେତା ତଥା ବିଶିଷ୍ଟ ଆଡଭୋକେଟ ପ୍ରକାଶ ଆମ୍ବେଦକର । ପ୍ରକାଶ ହେଉଛନ୍ତି ଭୀମରାଓ ଆମ୍ବେଦକରଙ୍କ ନାତି । ପ୍ରତି ପୋଲିଂ ଷ୍ଟେସନରେ ପ୍ରତି ଭୋଟରଙ୍କୁ ବଣ୍ଟା ଯାଇଥିବା ଟୋକନ ସଂଖ୍ଯା ଏବଂ ସମଗ୍ର ରାଜ୍ଯରେ ବଣ୍ଟନ କରାଯାଇଥିବା ମୋଟ ଟୋକନ ସଂଖ୍ଯାର ତଥ୍ଯ ପ୍ରଦାନ କରିବାରେ ଇସିଆଇ ଓ ରାଜ୍ଯ ନିର୍ବାଚନ ଅଧିକାରୀ ବିଫଳ ହୋଇଥିବାରୁ ଏହି ନିର୍ବାଚନକୁ ବେଆଇନ ଓ ଅବୈଧ ଘୋଷଣା କରାଯାଉ ବୋଲି ଦାବି କରିଥିଲେ ପ୍ରକାଶ । ଏହାସହ ୨୦ ନଭେମ୍ବର ୨୦୨୪ ଭୋଟ ଗ୍ରହଣ ଦିନ ସନ୍ଧ୍ୟା ୬ଟା ପରେ କିପରି ବିପୁଳ ସଂଖ୍ଯକ ଭୋଟ ପଡ଼ିଲା ବୋଲି ସେ ପ୍ରଶ୍ନ କରିଥିଲେ ।
ଏହି ମାମଲାର ଶୁଣାଣି କରିଥିଲେ ଜଷ୍ଟିସ ଏଏସ ଗଡକରୀ ଏବଂ କମଲ ଖତା । ପିଟିସନରେ ଆହୁରି କୁହାଯାଇଥିଲା, ଭୋଟ ଗ୍ରହଣ ଦିନ ଶେଷ ମୁହୂର୍ତ୍ତରେ ଓ ସମୟସୀମା ଅବଧି ଅର୍ଥାତ ସନ୍ଧ୍ୟା ୬ଟା ପରେ ରାଜ୍ଯବ୍ଯାପୀ ପ୍ରାୟ ୭୫ ଲକ୍ଷ ଭୋଟଦାନ ହୋଇଥିଲା । ଏହି ବିପୁଳ ସଂଖ୍ଯକ ଭୋଟର ବାସ୍ତବତା ଯାଞ୍ଚ କରା ନଯିବା ସହ ରେକର୍ଡିଂରେ କୌଣସି ସ୍ବଚ୍ଛତା ରକ୍ଷା କରାଯାଇ ନଥିଲା । ଶେଷ ମୁହୂର୍ତ୍ତରେ ଏତେ ସଂଖ୍ଯକ ଭୋଟ ପଡିଥିବାରୁ ଏହି ନିର୍ବାଚନର ବୈଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି କହିଥିଲେ ଆବେଦନକାରୀ । ଭୋଟ ଗ୍ରହଣର ସମୟ ଅବଧି ଶେଷ ହେବା ପରେ ଭୋଟରଙ୍କୁ ବଣ୍ଟନ କରାଯାଇଥିବା ନମ୍ବର ବିହୀନ ଟୋକନ ସମ୍ପର୍କରେ କୌଣସି ତଥ୍ଯ ଦିଆଯାଉନାହିଁ । ନିର୍ବାଚନ କମିଶନଙ୍କ ଓ୍ବେବସାଇଟରେ ବି ଏସମ୍ପର୍କରେ କୌଣସି ତଥ୍ଯ ଉପଲବ୍ଧ ହୋଇନାହିଁ ।
ପିଟିସନରେ ଆହୁରି କୁହାଯାଇଛି, ରାଜ୍ଯର ୨୮୮ ଆସନରୁ ୧୯ଟି ନିର୍ବାଚନ ମଣ୍ଡଳିରେ ପ୍ରକୃତ ଭୋଟଦାନ ସଂଖ୍ଯାଠାରୁ ଇଭିଏମ ଭୋଟ ସଂଖ୍ଯା ଅଧିକ ଥିଲା । ୭୬ଟି ନିର୍ବାଚନ ମଣ୍ଡଳିରେ ପ୍ରକୃତ ଭୋଟଦାନ ସଂଖ୍ଯାଠାରୁ ଇଭିଏମ ଭୋଟ ସଂଖ୍ଯା କମ୍ ଥିଲା । ପ୍ରତି ପୋଲିଂ ଷ୍ଟେସନରେ ସନ୍ଧ୍ୟା ୬ଟା ପରେ ପ୍ରକୃତରେ କେତେ ଟୋକନ ବଣ୍ଟା ଯାଇଥିଲା ଓ ସାରା ରାଜ୍ଯରେ ପ୍ରକୃତରେ କେତେ ଟୋକନ ବଣ୍ଟା ଯାଇଥିଲା ତାହାର ସବିଶେଷ ବିବରଣୀ ବି ଚାହିଁଥିଲେ ଆବେଦନକାରୀ । ପ୍ରକାଶ ଆହୁରି କହିଥିଲେ-ଭୋଟଦାନର ପ୍ରକୃତ ତଥ୍ଯ ପାଇବା ଲାଗି ଆରଟିଆଇରେ ଆବେଦନ କରାଯାଇଥିଲେ ବି ଏପରି କୌଣସି ତଥ୍ଯ ନଥିବା ଦର୍ଶାଇଥିଲେ ନିର୍ବାଚନ କମିଶନ । ଇଭିଏମ ଓ ଭିଭିପାଟର ନିରପେକ୍ଷ ଯାଞ୍ଚ ଲାଗି ବି କୋର୍ଟ ନିକଟରେ ପ୍ରାର୍ଥନା କରିଛନ୍ତି ଆବେଦନକାରୀ । ଆସନ୍ତା ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।