ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥଙ୍କୁ ମିଳିଲା ବେଲ୍

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁଙ୍କୁ ମିଳିଲା ବେଲ୍ । ସୁଶାନ୍ତଙ୍କ ମୃତ୍ୟୁ ମାମଲା ସହ ଜଡ଼ିତ ଡ୍ରଗ୍ସ କେସରେ ଗିରଫ ହୋଇଥିବା ସିଦ୍ଧାର୍ଥ ପଠାନୀଙ୍କୁ ଜାମିନ୍ ମିଳିଛି । ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଆଜି ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ଏ ନେଇ ୨ ଥର ଜାମିନ୍ ଆବେଦନ କରିଥିଲେ ମଧ୍ୟ ଖାରଜ ହୋଇଯାଇଥିଲା ।

ସୁଶାନ୍ତଙ୍କ ଫ୍ଲାଟରେ ରହୁଥିଲେ ତାଙ୍କ ବନ୍ଧୁ ସିଦ୍ଧାର୍ଥ । ସୁଶାନ୍ତଙ୍କ ମୃତ୍ୟୁ ପରେ ପ୍ରଥମେ ସିଦ୍ଧାର୍ଥ ହିଁ ତାଙ୍କ ଶରୀରକୁ ଦେଖିଥିଲେ । ୨୦୨୦ ମସିହାରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ । ସୁଶାନ୍ତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଗତ ବର୍ଷ ମେ ୨୮ରେ ସିଦ୍ଧାର୍ଥଙ୍କୁ ଗିରଫ କରିଥିଲା ।

ଏହା ପରେ ତାଙ୍କୁ ଫସାଇବାକୁ ଷଡଯନ୍ତ୍ର କରାଯାଇଥିବା ସିଦ୍ଧାର୍ଥ ଅଭିଯୋଗ କରିଥିଲେ । ଏହାସହ ସେ ଜାମିନ ପାଇଁ ବି କୋର୍ଟରେ ଆବେଦନ କରିଥିଲେ । ଡ୍ରଗ୍ସ କେସରେ ସିଦ୍ଧାର୍ଥ ସାମିଲ ଥିବା ନେଇ କିଛି ବି ପ୍ରମାଣ ମିଳି ନଥିବା ତାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ । ଏହା ପରେ ତାଙ୍କୁ ଜାମିନ୍ ମିଳିଛି ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ୨୦୨୦ ମସିହା ଜୁନ୍ ୧୪ ତାରିଖରେ ମୁମ୍ବାଇ ସ୍ଥିତ ନିଜ ଘରେ ବେକରେ ଫାସି ଲଗାଇ ଆତ୍ମହତ୍ୟା କରିଥିଲେ ଅଭିନେତା ସୁଶାନ୍ତ ସିଂ ରାଜପୁତ । ସୁଶାନ୍ତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା । ଜଣଙ୍କ ପରେ ଜଣେ ବଲିଉଡ ସୁପରଷ୍ଟାର ଏନସିବିର ଜେରାର ସାମ୍ନା କରିଥିଲେ । ସେତେବେଳେ ଘଟଣା ସୋସିଆଲ ମିଡିଆଠୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।